ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ | ଯୋଗ ମୁଦ୍ରାରେ ପୂରା ବିଶ୍ୱ |

0

ବ୍ୟୁରୋ : ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ମୁଦ୍ରାରେ ପୂରା ବିଶ୍ୱ । ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଛି ଭାରତର ଏହି ପାରମ୍ପରିକ ଶାରୀରିକ ଅଭ୍ୟାସର ଚିନ୍ତନ । ଯୋଗ ଯାହା ମନକୁ ସ୍ଥିର ଆଉ ଶରୀରକୁ ନିରୋଗ ରଖେ । ଆଜିର ବ୍ୟସ୍ଥବହୁଳ ଜୀବନଚର୍ଯ୍ୟାରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୁଝୁଥିବା ଲୋକମାନେ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡିଛି । ଏଣୁ ସେ ବୟସ୍କ ହୁଅନ୍ତୁ କି ଯୁବପିଢୀ ସଭିଙ୍କୁ ଯୋଗର ମହତ୍ୱ ବୁଝି ଏଥି ପ୍ରତି ଆଗ୍ରହ ହେବା ଆବଶ୍ୟକ । ତେବେ ଚଳିତ ବର୍ଷର ଥିମ ରହିଛି ‘ଯୋଗ ଫର ବସୁଧୈବ କୁଟୁମ୍ବକମ୍‌’। ଅର୍ଥାତ ଯୋଗ ମାଧ୍ୟମରେ ସାରା ପୃଥିବୀକୁ ଗୋଟିଏ ପରିବାରରେ ବାନ୍ଧି ରଖିବା । ଅର୍ଥାତ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଯୋଗ ଦିବସର ପାଳନର ପରମ୍ପରା ଆରମ୍ଭ କରିଛନ୍ତି। ସେ ୨୦୧୪ ସେପ୍ଟମ୍ବର ୨୭ରେ ମିଳିତ ଜାତିସଂଘ ବୈଠକରେ ଏ ନେଇ ପ୍ରସ୍ତାବ ରଖିଥିଲେ । ତା’ ପରେ ଯୋଗର ଉପକାରିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍‌ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ। ୨୦୧୪ ଡିସେମ୍ବର ୧୧ରେ ପ୍ରତିବର୍ଷ ଜୁନ୍ ୨୧କୁ ‘ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ୨୦୧୫ ମସିହା ଜୁନ୍ ୨୧ରୁ ଏଯାବତ୍ ଏହିଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପାଖାପାଖି ୩୫ ହଜାରରୁ ଅଧିକ ଲୋକ ଏବଂ ୮୪ ଦେଶର ପ୍ରତିନିଧି ନୂଆଦିଲ୍ଲୀର ରାଜପଥରେ ପାଖାପାଖି ୩୫ ମିନିଟ୍‌ ଧରି ଯୋଗର ୨୧ଟି ଆସନ କରିଥିଲେ। ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଯୋଗାଭ୍ୟାସର ଲାଭ ସଂପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏଣୁ ଯୋଗ ଦିବସ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ସେପଟେ ଆମେରିକାରୁ ଯୋଗ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଗ୍ଲୋବାଲ ସ୍ପିରିଟରେ ପରିଣତ ହୋଇଛି ଯୋଗ । ଯିଏ ଯୋଡିଥାଏ ସେ ହେଉଛି ଯୋଗ । ଯୋଗ କରିବା ଦ୍ୱାରା ଦେହ ସୁସ୍ଥ ରହିବା ସହ ଆୟୁଷ ଓ ବଳ ବଢିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ୧୮୦ ଦେଶ ଯୋଗ ଦିବସ ପାଳନ କରୁଛନ୍ତି। ଆଜି ଯୋଗଦିବସରେ ସାରା ଭାରତ ଯୋଗମୁଦ୍ରାରେ। ଗାଁରୁ ସହର ସବୁଠି ଯୋଗ ଦିବସ ପାଳନ କରାଯାଉଛି । ସମୁଦ୍ରରେ, ଆକାଶରେ ଓ ପର୍ବତ ଶିଖରରେ ମଧ୍ୟ ଯୋଗ ଦିବସ ପାଳିତ ହେଉଛି। ଯିଏ ଯେଉଁଠି ଅଛନ୍ତି ଯୋଗ ଦିବସ ପାଳନ କରୁଛନ୍ତି।