ସମ୍ବଲପୁରରେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ

0

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆହୁରି ୨ଦିନ ବନ୍ଦରହିବ ଇଣ୍ଟରନେଟ ସେବା । ରାଜ୍ୟ ଗୃହ ବିଭାଗ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ୪୮ ଘଣ୍ଟା ପାଇଁ ୧୩ ତାରିଖରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ଆଜି ସକାଳ ୧୦ଟାରେ ଏହାର ଅବଧି ସରୁଥିବା ବେଳେ ଆଜି ଠାରୁ ପୁଣି ବଢିଲା ଅବଧି । ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଥିବାରୁ ପୁଣି ଇଣ୍ଟରନେଟ ସେବା ଅବଧିକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗିରହିଛି। ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ସହରରେ ବହୁ ପୁଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ ଗତ ୨ ଦିନ ହେବ ସହରର ବହୁ ଦୋକାନ ବଜାର ପୋଡ଼ା ଜଳା ଘଟଣା ସାମନାକୁ ଆସିଛି। ଗତକାଲି ରାତିରେ କଡ଼ା ସୁରକ୍ଷା ବଳୟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସହର ପରିକ୍ରମା କରିଥବବା ସତ୍ୱେ ବହୁ ଦୋକାନ ପୋଡ଼ାଜଳା କରାଯିବା ସହ ହିଂସାତ୍ମକ ଘଟଣା ଘଟିଥିଲା। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ଗତକାଲି ରାତି ୧୨ଟାରୁ ସହରରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା।