ଶ୍ରୀମନ୍ଦର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

0

ପୁରୀ : ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯାଇଥିଲା। ଏହାପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିୟନ୍ତ୍ରଣ ଦିଆଯାଇଛି ।

ଶୁକ୍ରବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ ପାଇଁ ମଧ୍ୟପ୍ରଦେଶ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ସହ ଏହି ଭବ୍ୟ ଉତ୍ସବରେ ଯୋଗଦେବା ପାଇଁ ନିବେଦନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଠାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଉତ୍ସବରେ ଉପସ୍ଥିତି ପାଇଁ ନିବେଦନ କରିଛନ୍ତି।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଗାମୀ ମାସ ଶ୍ରୀକ୍ଷେତ୍ର ଆଗମନ ପରେ ଗଜପତି ମହାରାଜାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପରିଚାଳନା କମିଟି ପାରମ୍ପରିକ ରୀତିରେ ଜଗଦ୍‌ଗୁରୁଙ୍କୁ ନିମନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।