ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି
ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶରେ ସୃଷ୍ଟ ଅସ୍ଥିର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି। ଆଜିଠାରୁ କୌଣସି ମ୍ୟାଚ୍ ହେବ ନାହିଁ। ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ତାଙ୍କର ଘରକୁ ପଠାଇବା। ବିସିସିଆଇ ଖୁବ୍ଶୀଘ୍ର ନୂତନ ତାରିଖ ଘୋଷଣା କରିବ।
ଏହି ନିଷ୍ପତ୍ତି ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚ ମଝିରେ ବାତିଲ ହେବା ପରେ ଆସିଛି। ପଠାନକୋଟରୁ ମାତ୍ର ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଧର୍ମଶାଳାରେ ଆକ୍ରମଣ ଚେତାବନୀ ଜାରି ହେବା ପରେ ଷ୍ଟାଡିୟମରେ ଫ୍ଲଡ଼ଲାଇଟ ବନ୍ଦ ହୋଇଯାଇଥିଲା, ଯାହା ପ୍ରାରମ୍ଭରେ ବୈଷୟିକ ତ୍ରୁଟି ବୋଲି ଭାବାଯାଇଥିଲା। କିନ୍ତୁ ସୁରକ୍ଷା ବିଷୟରେ ସୂଚନା ମିଳିବା ପରେ ଖେଳାଳୀ ଓ ଅଧିକାରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଦଳଗୁଡ଼ିକ ମଧ୍ୟରେ, ବିଶେଷତଃ ବିଦେଶୀ ଖେଳାଳୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୮୦% ଦର୍ଶକଙ୍କୁ ସୁରକ୍ଷା କାରଣରୁ ଖାଲି କରାଯାଇଥିଲା। ଏହି ସମୟରେ କିଛି ଦର୍ଶକ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଉଥିବା ମଧ୍ୟ ଶୁଣାଯାଇଥିଲା। ଏହା ପରେ ଧରମଶାଳାକୁ ଏବଂ ସେଠାରୁ ଆସୁଥିବା ବିମାନ ସେବା ସ୍ଥଗିତ ହୋଇଥିବା ବେଳେ ଦଳର ବସଗୁଡ଼ିକୁ ନିରାପଦ ରୂଟ ଦେଇ ଅନ୍ୟତ୍ର ପଠାଯାଇଛି।