ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ‘ପ୍ରମୁଖ ସଚିବ’ଙ୍କ ଭଳି ଦରମା ଓ ଭତ୍ତା ସହ ସମାନ ପ୍ରଶାସନିକ କ୍ଷମତା ଉପଭୋଗ କରିବାର ସୁଯୋଗ ମିଳିବ । କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ (IRTS) ଚାକିରିରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ମନୋଜ କୁମାର ମିଶ୍ରଙ୍କୁ ଓଡ଼ିଶା ସରକାରରେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ‘ଚୁକ୍ତିଭିତ୍ତିକ ବା ଠିକା ପ୍ରମୁଖ ସଚିବ’ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ମିଶ୍ର ରାଜ୍ୟର ପ୍ରଥମ ଠିକା ପ୍ରମୁଖ ସଚିବ ଯିଏ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନଙ୍କ ଭଳି ଓଡ଼ିଶା ସରକାରରେ ସମସ୍ତ ସୁବିଧାସୁଯୋଗ,ଦାୟିତ୍ୱ ଓ କ୍ଷମତା ମଧ୍ୟ ଉପଭୋଗ କରିବେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ଆଇଆରଟିଏସ୍ ଚାକିରିରୁ ଶ୍ରୀ ମିଶ୍ରଙ୍କ ଇସ୍ତଫା ଡିସେମ୍ବର ୨୮ତାରିଖରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିବା ପରେ ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ଗତକାଲି ଅନ୍ୟ ଏକ ବିଜ୍ଞପ୍ତି ଜାରି ହୋଇଥିଲା ।
ଯେଉଁଥିରେ ପ୍ରଫେସନାଲଙ୍କୁ ଚୁକ୍ତିଭିତ୍ତିରେ ସରକାରରେ ନିଯୁକ୍ତି ଦେବା ସଂକ୍ରାନ୍ତ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଉଲ୍ଲେଖ ରହିଛି । ଆଉ ସେହି ନିର୍ଦ୍ଦେଶାନାମା ବଳରେ ଶ୍ରୀ ମିଶ୍ରଙ୍କୁ ‘ଚୁକ୍ତିଭିତ୍ତିକ ପ୍ରମୁଖ ସଚିବ’ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ର ପୂର୍ବଭଳି ଆଇଟି ବିଭାଗର ପ୍ରମୁଖ ସଚିବ(ଏବେ ସଚିବ ଅଛନ୍ତି) ଭାବେ କାର୍ଯ୍ୟ ତୁଲାଇବେ । ସେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ମିଶ୍ର ଓକାକର ଚେୟାରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟ କରିବେ ।