ନୟାଗଡ଼/ମାନସ କୁମାର ସାହୁ : ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ୱିପହରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ | ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ | ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ | ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ସମ୍ପଦ ଦାଶ ଓ କାଳୀପ୍ରସାଦ ରାଉତ | ସେମାନଙ୍କ ନିକଟରୁ ଥାନା ଅଧିକାରୀଙ୍କ ଚେନ ସମେତ ଅନ୍ୟ ସ୍ଥାନରୁ ଲୁଟ କରିଥିବା ଲକ୍ଷାଧିକ ଟଙ୍କାର ମୋଟ ୪ ଟି ଚେନ ଜବତ କରିଥିଲା ବେଳେ ଲୁଟରେ ବ୍ୟବହୃତ ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି | ଏ ନେଇ ନୟାଗଡ଼ SDPO ସ୍ନେହାଶିଷ ସାହୁ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
ଗତ ରବିବାର ଦିନ ନୟାଗଡ଼ ସଦର ଥାନାର ପୂର୍ବତନ IIC ମନୋରମା ମଲ୍ଲିକ ସ୍କୁଟି ଯୋଗେ ନିଜ ଭଡା ଘରକୁ ଫେରୁଥିବା ବେଳେ ୨ ଜଣ ହେଲମେଟ ପିନ୍ଧା ଯୁବକ ଟ୍ରାଫିକ ଛକରୁ ତାଙ୍କୁ ଫଲୋ କରିଥିଲେ | ଘର ନିକଟରେ ପହଂଚିବା ପୃର୍ବରୁ ସ୍କୁଟିକୁ ଧକ୍କା ଦେବାରୁ ଥାନା ଅଧିକାରୀ ତଳେ ପଡିଯାଇଥିଲେ | ଏହି ସୁଯୋଗରେ ୨ ଦୁର୍ବୁତ୍ତ ମନୋରମାଙ୍କ ବେକରୁ ସୁନା ଚେନ ଲୁଟି ନେଇଯାଇଥିଲେ | ଅଭିଯୋଗ ପାଇ ଟାଉନଥାନା ପୋଲିସ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା | ବାଇକ ନମ୍ବର ଅନୁସାରେ ଖୋର୍ଦ୍ଧା ଟାଉନର ଦୁଇ ଅପରାଧୀଙ୍କ ନିକଟରେ ପହଂଚି ପାରିଥିଲା | ସମ୍ପୃକ୍ତ ୨ ଅପରାଧୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨0 ରୁ ଅଧିକ ମାମଲା ରହିଥିବା SDPO କହିଛନ୍ତି | ସେପଟେ ବଦଳି ହୋଇ ଜିଲ୍ଲା ଛାଡିବା ପୂର୍ବରୁ ପୂର୍ବତନ IICଙ୍କୁ ଲକ୍ଷାଧିକ ଟଙ୍କାର ଚେନ ମିଳିଯାଇଛି |