ସଞ୍ଜୀବଙ୍କ ଜାଗାରେ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା

0

ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି ବୋଲି ହେଉଛି କଳ୍ପନାଜଳ୍ପନା । ପଞ୍ଜାବର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ସଞ୍ଜୀବ ଆରୋରାଙ୍କ ସ୍ଥାନରେ କେଜ୍ରିୱାଲ ସଂସଦର ଉଚ୍ଚ ସଦନକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ।


ପଞ୍ଜାବରେ ଏବେ ଆପ ସରକାର ରହିଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସେଠାରୁ ହିଁ ରାଜ୍ୟସଭା ସାଂସଦ ଆପ୍ ପଠାଇପାରିବ । ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଜାତୀୟ ରାଜନୀତିରେ କେଜ୍ରିୱାଲ ରାଜ୍ୟସଭାକୁ ସାଂସଦ ଭାବେ ଯିବାକୁ ଚାହୁଁଥିବା କୁହାଯାଉଛି । କାରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କେବଳ ଶାସନ କ୍ଷମତାରୁ ଯାଇନି ବରଂ ଦଳର ସଂଯୋଜକ କେଜ୍ରିୱାଲଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।


ଆଗକୁ ଆପ୍ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ନିଜ ରାଜନୀତି ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟସଭା ରାସ୍ତାକୁ କେଜ୍ରିୱାଲ ରାସ୍ତାକୁ ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ପଶ୍ଚିମ ଲୁଧିଆନାରେ ହେବାକୁ ଥିବା ଉପ-ନିର୍ବାଚନ କେଜ୍ରିୱାଲଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପଶ୍ଚିମ ଲୁଧିଆନା ଆସନ ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରାଯାଇଛି ।

ସଂସଦକୁ ସଞ୍ଜୀବଙ୍କ ସ୍ଥାନରେ କେଜ୍ରିୱାଲ ବ୍ୟାକଡୋର ଏଣ୍ଟ୍ରି ମାରି ପାରନ୍ତି ବୋଲି କଳ୍ପନା ଜଳ୍ପନା ହୋଇଛି । ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ପଞ୍ଜାବ ନିର୍ବାଚନ ପୂର୍ବରୁ ନିଜ ପାଇଁ କ୍ରେଜିୱାଲ ସ୍ଥାନ ସୁରକ୍ଷିତ କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।