ବରଗଡ: ଆଜି ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଅନ୍ତିମ ଦିନ । ବରଗଡରେ ଦିର୍ଘ ୧୧ ଦିନ ଧରି ଚାଲୁ ଥିବା ଧନୁଯାତ୍ରାର ଅନ୍ତିମ ଦିନରେ କଂସ ବଧ ସହ ପରିସମାପ୍ତି ଘଟିବ । ତେବେ ଅନ୍ତିମ ଦିନରେ କୃଷ୍ଣବଲରାମଙ୍କ ହସ୍ତରେ କୁବଳୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ ।
ସୁଚନା ଅନୁଯାୟୀ ଉଦଘାଟିତ ହୋଇଥିଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥିଲା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଅମ୍ବାପାଲି ପାଲଟିଥିଲା ଗୋପପୁର ଆଉ ଜୀରା ନଦୀ ସାଜିଥିଲା ଯମୁନା । ଧନୁଯାତ୍ରାର ପ୍ରଥମ ଦିବସରେ ବାସୁଦେବ ଓ ଦେବକୀଙ୍କ ବିବାହ, ଦୈବବାଣୀ, କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବାସୁଦେବଙ୍କ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ସମସ୍ତଙ୍କୁ ଆକୃଷ୍ଟ କରିଥଲା ।