ମହାରାଷ୍ଟ୍ରରେ ଲକ୍‌ଡାଉନ୍ ଲାଗୁ ହୁଏ ତେବେ ଭଲ ହେବ : ସୌରଭ ଗାଙ୍ଗୁଲି

0

(ଦିଲ୍ଲୀ ) : ୫ ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୧ ସଂସ୍କରଣ। ହେଲେ ଦେଶରେ ଦିନିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏହାସହିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ସ୍ଥାନ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଏସବୁ ମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜର ବୟାନ୍ ଦେଇଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଯଦି ଲକ୍‌ଡାଉନ୍ ଲାଗେ ତେବେ ମଧ୍ୟ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ।
ଏକ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ଯେ, ମହାରାଷ୍ଟ୍ରରେ ଲକ୍‌ଡାଉନ୍ ଲାଗୁ ହୁଏ ତେବେ ଭଲ ହେବ। କାରଣ ଷ୍ଟାଡିୟମ୍ ଆଖ ପାଖ ଲୋକଙ୍କ ଭିଡ଼ ଜମିବ ନାହିଁ। ସେହିଭଳି କିଛି ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଲଗାତାର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି। ଥରୁଟିଏ ବାୟୋ ବବଲରେ ପ୍ରବେଶ କଲେ ଆଉ କିଛି ଅସୁବିଧା ହେବ ନାହିଁ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ମିଳିଛି। ମୁମ୍ବାଇରେ ଏପ୍ରିଲ ୧୦ରୁ ୨୫ ମଧ୍ୟରେ ୧୦ଟି ମ୍ୟାଚ୍ ଖେଳାଯିବ। ବାୟୋ ବବଲ ମଧ୍ୟରେ କୌଣସି ଅସୁବିଧା ହେବ ନାହିଁ। କାରଣ ଆମର ଏକ ସୁରକ୍ଷିତ ସେଟଅପ୍ ଅଛି। ଯାହାଫଳରେ ଖେଳାଳି ଓ ସର୍ପୋଟ ଷ୍ଟାଫ୍ ପୂରା ସୁରକ୍ଷିତ ଅଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।