ଏଣିକି ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା । ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସମଗ୍ର ଭାରତରେ ସଡ଼କ ମୃତ୍ୟୁହାରର ଧାରାକୁ ପ୍ରତିହତ କରିବା ପାଇଁ ଏକ ନୂଆ ସ୍ମିମ୍ ଘୋଷଣା କରାଯାଇଛି ।
ଏଥିରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ମିଳିବ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ “କ୍ୟାସଲେସ୍ ଟ୍ରିଟମେଣ୍ଟ” ଯୋଜନା ଘୋଷଣା କରିଛନ୍ତି । ଯାହା ଅଧୀନରେ ସରକାର ସଡ଼କ ଦୁର୍ଘଟଣା ପୀଡିତଙ୍କ ୭ ଦିନର ଚିକିତ୍ସା ପାଇଁ ୧.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ ବହନ କରିବେ । ତେବେ ଏହି ଯୋଜନାରେ ଯଦି ପୋଲିସକୁ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ ସୂଚନା ପ୍ରଦାନ କରିଥାଏ, ତେବେ ସରକାର ହିଁ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଏଥିସହିତ ହିଟ୍ ଆଣ୍ଡ୍ ରନ ମାମଲାରେ ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମନ୍ତ୍ରୀ ।
ତେବେ ସଡକ ଦୁର୍ଘଟଣା ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ କହିଛନ୍ତି, ସରକାରଙ୍କ ସର୍ବାଧିକ ପ୍ରାଥମିକତା ହେଉଛି ସଡ଼କ ସୁରକ୍ଷା । ୨୦୨୪ ମସିହାରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହା ଚିନ୍ତାଜନକ ବୋଲି କହିଛନ୍ତି ମନ୍ତ୍ରୀ । ଏଥିମଧ୍ୟରୁ ୩୦,୦୦୦ ମୃତ୍ୟୁ ହେଲମେଟ୍ ନପିନ୍ଧିବା କାରଣରୁ ହୋଇଥିଲା ବୋଲି ମତ ରଖିଛନ୍ତି ଗଡକରୀ। ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ମନ୍ତ୍ରଣାଳୟ ନୂତନ ବସ୍ ଏବଂ ଟ୍ରକ୍ ପାଇଁ ତିନିଟି ନୂତନ ବୈଷୟିକ ଭିତ୍ତିକ ପ୍ରଣାଳୀ ପ୍ରଣୟନ କରିବେ। ଯେଉଁଥିରେ ଡ୍ରାଇଭରମାନେ ଗାଡି ଚାଳନା ବେଳେ ନିଦ ଆସିଲେ ସେମାନଙ୍କୁ ଏକ ଅଡିଓ ଚେତାବନୀ ପ୍ରଣାଳୀ ଅନ୍ତର୍ଭୁକ୍ତ କରିବେ।ଯାହାଦ୍ୱାରା ଦୁର୍ଘଟଣା ରୋକିବାରେ ସହାୟକ ହୋଇପାରିବ ।