ସସପେଣ୍ଡ ହେଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ

0

(ରିପୋଟର୍ସ ଟୁଡେ,ଭୁବନେଶ୍ୱର):ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିବା ପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହାକ ଇତିଶ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍ପେଣ୍ଡ କରିଛନ୍ତି ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ଜାତୀୟ ସମ୍ପାଦକ ମୋହତା ରୋହିତ ।
ତେବେ ବହିଷ୍କୃତ ହେବା ପରେ ଇତିଶ କହିଛନ୍ତି ଯେ,ସତ କହିବା ପରେ ଏଭଳି ପୁରସ୍କାର ମିଳିଛି । ସାଢେ ୪ ବର୍ଷ ଧରି ଛାତ୍ର କଂଗ୍ରେସ ସଭାପତି ରହିଛି । କଂଗ୍ରେସକୁ ଯିଏ କ୍ଷତି ପହଞ୍ଚାଇବ ତା ବିରୋଧରେ ଲଢିବି । ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ କେବଳ ନିଲମ୍ବନ କରାଯାଇଛି, ଦଳରୁ ନୁହେଁ ବୋଲି ସେ କହିଛନ୍ତି । ନିଲମ୍ବନ ହେବା ପରେ ପୁଣି ଥରେ ନିରଞ୍ଜନଙ୍କୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି, ନିରଞ୍ଜନ ବାବୁଙ୍କୁ ୨୦୧୨ରେ ଅଚାନକ ପିସିସି ସଭାପତି ପଦରୁ କାଢି ଦିଆଯାଇଥିଲା । ସେଥିଲାଗି ସେ ରାଗ ଶୁଝାଇବା ପାଇଁ ଦଳକୁ କ୍ଷତି ପହଞ୍ଚାଉଛନ୍ତି ।
ସୁଚନାଯୋଗ୍ୟ ଯେ, ଇତୀଶ ପ୍ରଧାନ ଗତ ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୁରାଯିବ ନାହିଁ । ତାଙ୍କ ନିଦ ହଜାଇ ଦିଆଯିବ । ଏପରିକି ଭାଇ ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି । ପୁଅ ମାଧ୍ୟମରେ ବେପାର କରୁଛନ୍ତି, ଏବଂ ଏହାକୁ କେବେ ବି ସହ୍ୟ କରାଯିବ ନାହିଁ ଆଦି ଅଭିଯୋଗ ଆଣିଥିଲେ । ଏହି ସବୁ ଆରୋପର କଡା ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ନିରଞ୍ଜନ । ଇତୀଶ ହତୋତ୍ସାହିତ ହୋଇ ପିଲାଳିଆମିରେ ଏପରି କହିଛନ୍ତି ବୋଲି ସେ କହିଥିଲେ ।