ପାକିସ୍ତାନ ଗସ୍ତକରି ଫେରିଛନ୍ତି ଜ୍ୟାକ୍ ମା

0

ଇସଲାମାବାଦ: ଆଲିବାବା ଗ୍ରୁପର ସହ ସଂସ୍ଥାପକ ତଥା ଚୀନର କୋଟିପତି ଜ୍ୟାକ୍ ମା ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ଗସ୍ତରେ ଆସି ଫେରିଯାଇଛନ୍ତି । ତେବେ ତାଙ୍କର ଏହି ଗସ୍ତ ବିଷୟରେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜୁନ୍ ୨୯ ତାରିଖରେ ଜ୍ୟାକ୍ ମା ଲାହୋରରେ ଅବତରଣ କରି ୨୩ ଘଣ୍ଟା ରହିଥିଲେ । ତାଙ୍କର ଏହି ଗସ୍ତ ବିଷୟରେ ବୋର୍ଡ ଅଫ୍ ଇନଭେଷ୍ଟମେଣ୍ଟ ପୂର୍ବତନ ଅଧ୍ୟକ୍ଷ ମହମ୍ମଦ୍ ଅଜଫର୍ ଅଶାନ୍ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ ଜଣାଇଥିଲେ ।

ଗସ୍ତ ସମୟରେ ଜ୍ୟାକ୍ ମା ସରକାରୀ ଅଧିକାରୀ ଓ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନ ଥିଲେ। କୌଣସି ଏକ ଘରୋଇ ସ୍ଥାନରେ ଅବସ୍ଥାନ କରି ସେ ଜେଟ୍ ଆଭିଏସନ୍ ମାଲିକାନାରେ ଥିବା ଭିପି ସିଏମଏ ନାମରେ ପଞ୍ଜୀକୃତ ହୋଇଥିବା ଗୋଟାଏ ଘରୋଇ ଜେଟ୍ ବିମାନରେ ଜୁନ୍ ୩୦ ତାରିଖ ଦିନ ସ୍ବଦେଶ ଫେରିଯାଇଥିଲେ। ଜ୍ୟାକ ମାଙ୍କ ଗସ୍ତର କାରଣ ସମ୍ପ୍ରତି ଗୋପନୀୟ ରଖାଯାଇଥିଲେ ବି ଆଗକୁ ପାକିସ୍ତାନ ପାଇଁ ତାହାର ସୁଫଳ ମିଳିବ ବୋଲି ଅଶାନ୍ ଗଣମାଧ୍ୟମକୁ ଜଣାଇଥିଲେ । ଜ୍ୟାକ୍ ମାଙ୍କ ସହିତ ଆଉ ୭ଜଣ ବିଶିଷ୍ଟ ବ୍ୟବସାୟୀ ମଧ୍ୟ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ଚୀନର ନାଗରିକ ହୋଇଥିବା ବେଳେ ଜଣେ ଡେନ୍ମାର୍କ ଓ ଆଉ ଜଣେ ଆମେରିକୀୟ ନାଗରିକଳ ଥିଲେ।

ହଂକଂ ବିଜନେସ୍ ଏଭିଏସନ୍ ସେକ୍ଟରର ଗୋଟାଏ ଚାଟାର୍ଡ ବିମାନରେ ସେମାନେ ନେପାଳ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଜ୍ୟାକ ମାଙ୍କ ଗୁପ୍ତ ଗସ୍ତ ରିପୋର୍ଟ ପଢ଼ିବା ପରେ ସାମାଜିକ ଗଣମାଧ୍ୟମରେ କଳ୍ପନାଜଳ୍ପନା ଚାଲିଛି କି, ସେ ଓ ତାଙ୍କ ପ୍ରତିନିଧି ଦଳ ପାକିସ୍ତାନରେ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ, ସ୍ପଷ୍ଟୀକରଣ ଦେଇ ଅଶାନ୍ ଟୁଇଟ୍ କରିଛନ୍ତି, ଜ୍ୟାକଙ୍କ ଗସ୍ତ ଉଦ୍ଦେଶ୍ୟ ଥିଲା ନିହାତି ବ୍ୟକ୍ତିଗତ। ତାଙ୍କ ଗସ୍ତର ସବିଶେଷ ବିବରଣୀ ଓ କାର୍ୟ୍ୟକ୍ରମ ବିଷୟରେ ଚୀନ୍ ଦୂତାବାସ ବି ଜାଣି ନ ଥିଲେ।