OAS ଅଫିସରମାନେ ବିରୋଧୀଙ୍କ ଚକ୍ରାନ୍ତର ଶିକାର ହେଲେ: ଜଗନ୍ନାଥ ପ୍ରଧାନ

0

ଭୁବନେଶ୍ଵର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ଆବେଦନ ଶୁଣାଣି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ । ତେବେ ଜାମିନ ମିଳିବା ପରେ ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ । ଜେଲ୍‌ରୁ ବାହାରିଲା ବେଳେ ଜଗା ପ୍ରଧାନଙ୍କୁ ସ୍ବାଗତ କଲେ ତାଙ୍କ ସମର୍ଥକ । ସେଠାରେ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଥିଲେ ।

ତେବେ ଜେଲ୍‌ରୁ ବାହାରିଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ । ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା, OAS ସଂଘ ଏହାର ଶିକାର ହୋଇଥିଲା । OAS ଅଫିସରମାନେ ବିରୋଧୀଙ୍କ ଚକ୍ରାନ୍ତର ଶିକାର ହେଲେ । କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି । ଦଳ ସରକାରଙ୍କ ସହ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି । ମୁଁ ଖୁବ୍‌ ଶୀଘ୍ର ପାର୍ଟି ଅଫିସ୍‌କୁ ଯାଇ ସଭାପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ରାତିରେ ଜଗା ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ କରିଥିଲା ପୁଲିସ। ଭୁବନେଶ୍ବର SDJM କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୁଲିସ । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଥିଲା।