ଜମୁଛି ବ୍ରଜରାଜନଗର ନିର୍ବାଚନ ମୈଦାନ, ନିର୍ବାଚନ ରଣାଙ୍ଗନରେ ୧୧ ପ୍ରାର୍ଥୀ

0

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ବିଜେଡି, କଂଗ୍ରେସ ଓ ବିଜେପି ଦଳର ପ୍ରମୁଖ ନେତାମାନେ ଘରକୁ ଘର ବୁଲି ଆରମ୍ଭ କରିଛନ୍ତି ପ୍ରଚାର । ଏହି ତ୍ରିମୁଖି ଲଢ଼େଇରେ କାହାର ଜିତାପଟ ହେବ ତାହା ଆସନ୍ତା ୩ ତାରିଖ ଭୋଟ ଗଣତି ପରେ ଜଣାପଡିବ । ହାତରେ ମାତ୍ର ଦୁଇ ସପ୍ତାହର ସମୟ । ଆଉ କୌଣସି ସୁଯୋଗକୁ ହାତଛଡା କରିବାକୁ କେହି ନାରାଜ । ବିଜେଡିରୁ ଅଳକା ମହାନ୍ତି, କଂଗ୍ରେସରୁ କିଶୋର ପଟେଲ ଏବଂ ବିଜେପିରୁ ରାଧାରାଣୀ ପଣ୍ଡା ନିର୍ବାଚନ ରଣାଙ୍ଗନରେ ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖ ଦିନ ଧାର୍ଯ୍ୟ ହୋଇଥିବାବେଳେ ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ ।

ଏହି ଉପନିର୍ବାଚନ ପାଇଁ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ୧୭ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିଲା । ତେବେ ଆଜି ବିଜେପି ଓ ବିଜେଡିର ୨ଜଣ ବିଦ୍ରୋହୀ ପ୍ରାର୍ଥୀ ଓ ଓଡ଼ିଶା ଜନତା ପାର୍ଟିର ଜଣେ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ୧୧ଜଣ ପ୍ରାର୍ଥୀ । ସେମାନେ ହେଲେ ପାର୍ବତୀ ବେହେରା, ତପନ ସ୍ୱାଇଁ ଏବଂ ଓଡ଼ିଶା ଜନତା ପାର୍ଟିର ମନୋଜ ପ୍ରଧାନ । ଫଳରେ ନିର୍ବାଚନ ରଣାଙ୍ଗନରେ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜଲାନ୍ , ଆଦିତ୍ୟ ପ୍ରଧାନ, ଦୀନବନ୍ଧୁ ବିଶ୍ୱାଳ ପ୍ରମୁଖ ଲଢ଼େଇର ସମ୍ମୁଖୀନ ହେବେ ।

ଏହି ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବା ବେଳେ ବିଜେପି ମଧ୍ୟ ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ଏଥିରେ ୫ଜଣ କେନ୍ଦ୍ରମନ୍ତ୍ରୀ ତଥା ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ନାମ ରହିଛି । ବ୍ରଜରାଜନଗର ଓ ବେଲପାହାଡ଼ ମ୍ୟୁନିସିପାଲଟି ଏବଂ ୩୮ଟି ପଞ୍ଚାୟତକୁ ନେଇ ଗଠିତ ବ୍ରଜରାଜନଗର ବିଧାନସଭା ଆସନ ।

ଗତ ପୌର ନିର୍ବାଚନରେ ବିଜେଡି ୩ଟି ଜିଲ୍ଲା ପରିଷଦ ଜୋନ ଓ ବ୍ରଜରାଜନଗର ମ୍ୟୁନିସିପାଲଟି ଅଧ୍ୟକ୍ଷ ପଦ ହାସଲ କରିଥିଲା । ସେହିପରି ବେଲପାହାଡ ମ୍ୟୁନିସିପାଲଟି ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଥିଲା । ଏହି ଫଳାଫଳକୁ ଦେଖି ବିଜେଡି, କଂଗ୍ରେସ ଓ ବିଜେପି ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ୨୦୧୯ ନିର୍ବାଚନ ପରେ ରାଜ୍ୟରେ ଯେତେ ଉପନିର୍ବାଚନ ହୋଇଛି, ସବୁରେ ବିଜେଡି ବିଜୟୀ ହୋଇଛି । ତେବେ ବ୍ରଜରାଜନଗର ଉପନିର୍ବାଚନରେ ଭୋଟର ମାନେ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ, ତାହା ଦେଖିବାକୁ ବାକି ରହିଲା ।