ଜନ୍ମାଷ୍ଟମୀ ଉପଲକ୍ଷେ ମହାପ୍ରଭୁଙ୍କର ହୁଏ ଏହି ନୀତି… ଜାଣିଲେ ହେବେ ଆଶ୍ଚର୍ଯ୍ୟ !

0

ପୁରୀ : ଲୀଳାମୟ ସେ କାଳିଆ ସାଆନ୍ତ । ତା’ ପାଖେ ହୁଏ ବାରମାସେ ତେର ପର୍ବ କେବେ ସେ ସୁନାରେ ସଜେଇ ହୁଏ ତ କେବେ ନିଏ ସେ ମା’ ଦେବକୀଙ୍କ ରୁପ । ହଁ ଆଜ୍ଞା ବିଶ୍ୱନିୟନ୍ତା ଶ୍ରୀ ହରି । କଳିଯୁଗେ ସେ ଶ୍ରୀ ଜଗନ୍ନାଥ ବେଶେ ରତ୍ନ ସିଂହାସନେ ବସନ୍ତି । ତାଙ୍କର ମାନବୀୟ ଲାଳା ଖେଳା ଭକ୍ତଙ୍କୁ କରେ ବିମୋହିତ । ଆସୁଛି ଜନ୍ମାଷ୍ଟମୀ । ଏଥିରେ ହୁଏ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ମା’ ଦେବକୀଙ୍କ ରୂପ ଧାରଣ କରି କୃଷ୍ଣଙ୍କୁ ଜନ୍ମ କରନ୍ତି । ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ମହାପ୍ରଭୁ ଆଜି ନିଜେ ଗର୍ଭଧାରଣ କରିବେ। ଦେବକୀଙ୍କ ରୂପେ ନିଜେ କୃଷ୍ଣଙ୍କୁ ଜନ୍ମ ଦେବାର ବିଧି ପରମ୍ପରା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ସଂନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ଗର୍ଭ ଉଦକ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା,ଝିଲି,ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ। ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ। ଆସନ୍ତା କାଲି ଶ୍ରୀକୃଷ୍ଣଜନ୍ମ ଥିବାରୁ ନିତି ସୃଙ୍ଖଳିତ କରାଯାଉଛି।ଗତକାଲି ରାତ୍ର ୩.୪୫ରେ ମହାପ୍ରଭୁଙ୍କ ପହୁଡ ହୋଇଥିବା ବେଳେ ଆଜି ୬.୨୦ରେ ଶ୍ରୀମନ୍ଦିର ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହେବା ସହ ଭିତର ଶୋଧ ହୋଇ ୭.୧୦ରେ ମଙ୍ଗଳ ଆଳତି ହୋଇ ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି।