ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ପୁରପଲ୍ଲୀ

0

(ତ୍ରିଲୋଚନ ରାଉତ, ରିପୋର୍ଟରସ ଟୁଡେ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ମାଆ ଦେବକୀ ଓ ବାସୁଦେବଙ୍କ ଠାରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଅଷ୍ଟମ ସନ୍ତାନ ରୂପେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଏହି ଦିନକୁ ସାରା ଭାରତରେ ବଡ ଧୁମଧାମରେ ପାଳନ କରାଯାଉଛି । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଯିଏ କି ବିଷ୍ଣୁଙ୍କ ଅବତାର । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରାଯାଏ ।

ବିଶେଷ କରି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ଓ ଇସ୍କନ ଠାରେ କୃଷ୍ଣଙ୍କ ଜନ୍ମ ତିଥିକୁ ବେଶ ଧୁମଧାମରେ ପାଳନ କରାଯାଇଛି । ମନ୍ଦିରରେ ରାଧାକୃଷ୍ଣଙ୍କୁ ନବ ବସ୍ତ୍ର ଓ ପୁଷ୍ପ ମାଲ୍ୟରେ ସୁଜଜ୍ଜିତ କରାଯାଇଛି । ସକାଳୁ ସକାଳୁ ଭକ୍ତ ମାନେ ଦର୍ଶନ ପାଇଁ ରାମ ମନ୍ଦିର ଓ ଇସ୍କନ ଠାରେ ଭିଡ଼ ଜମାଇଥିଲେ । ପ୍ରବଳ ବର୍ଷା ସ୍ୱତ୍ତେ ଭକ୍ତ ମାନେ ଛତା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ଭଗବାନଙ୍କ ଦର୍ଶନ କରିଛନ୍ତି । ରାମ ମନ୍ଦିର ପରିସରରେ କୁନି କୁନି ପିଲାମାନଙ୍କୁ କୃଷ୍ଣ ଅବତରାରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକି କୃଷ୍ଣଙ୍କ ଜନ୍ମଲୀଲାକୁ ଜିବନ୍ତ ରୂପ ଦେଇଥିଲା । ରାତି ୧୨ ଟାରେ କୃଷ୍ଣଙ୍କର ଜନ୍ମନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଜିର ପବିତ୍ର ଦିନରେ କୃଷ୍ଣଙ୍କୁ ଦର୍ଶନ କରି ଭକ୍ତ ମାନେ ବେଶ ଖୁସି ଥିବା କହିଛନ୍ତି ।

ଇସ୍କନ ଠାରେ ଝୁଲାରେ ଭଗବାନଙ୍କୁ ଝୁଲା ଯାଇ ଜନ୍ମର ଲିଳାଖେଳା ବିଧି ସଂପନ୍ନ କରାଯାଇଛି ଭଗବାନଙ୍କ ଏହି ବାଲ୍ୟ ଲୀଳା ଦେଖିବା ପାଇଁ ଇସ୍କନ ମନ୍ଦିର ପରିସର ଲୋକାରର୍ଣ୍ଣ ହୋଇ ଉଠିଥିଲା । ଏକ ପ୍ରକାର ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି ।