ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ସଂପ୍ରସାରଣକୁ ନେଇ ବୁଧବାର ତୁମୁଳକାଣ୍ଡ ଘଟିଥିଲା । ଜରଡ଼ା ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୁଲିସ-କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୨୧ ଜଣ ଆନ୍ଦୋଳନକାରୀ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି । ସେପଟେ ଝିରଫଦାରି ପ୍ରତିବାଦରେ ଶତାଧିକ ଗ୍ରାମବାସୀ ସନ୍ଧ୍ୟା ପର୍ୟ୍ୟନ୍ତ ଥାନା ଘେରାଉ କରିଥିଲେ । ଆସନ୍ତା ମଙ୍ଗଳବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ ବୋଲି ପ୍ରତିଶୃତି ଦିଆଯାଇଥିବା ବେଳେ ବର୍ତମାନ ପାଇଁ ସଂପ୍ରସାରଣ କାର୍ୟ୍ୟ ବନ୍ଦ ରହିବ । ଏଥିସହ ଆନାରେ ଅଟକ ଥିବା ଅନ୍ୟ ଅନ୍ଦୋଳନକାରୀଙ୍କୁ ଛାଡ଼ି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସନ୍ଧ୍ୟା ୭ଟା ବେଳେ ଥାନା ଘେରାଉରୁ ଗ୍ରାମବାସୀ ଓହରିଥିଲେ । ଏ ସମସ୍ତ ଘଟଣାବଳୀକୁ ନେଇ କଣିହାଁ ଥାନା ଜରଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।ଶେଷରେ ଏମ୍ସିଏଲ୍ ମୁଣ୍ଡନୁଆଇଁ ଥିଲା ଜରଡ଼ା ଜମିହରାଙ୍କ ଆଗରେ । ଫଳ ସୁରୂପ ବର୍ତମାନ ପାଇଁ ଆସନ୍ତା ମଙ୍ଗଳବାର ହେବାକୁ ଥିବା ବୈଠକ ପର୍ୟ୍ୟନ୍ତ ଖଣି ସମ୍ପ୍ରସାରଣ କାମ ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁଲିସ ସହ ଧସ୍ତାଧସ୍ତିରେ ଗ୍ରାମର ଯଶୋଦା ବେହେରା (୫୦) ଆହତ ହେବାରୁ ତାଙ୍କୁ କଣିହାଁ ଡାକ୍ତରଖାନାରେ ଭରି କରାଯାଇଥିଲା। ଅନ୍ୟପକ୍ଷରେ ଆନ୍ଦୋଳନକାରୀ ମହିଳା ଦୁଇ ଜଣ ମହିଳା କନେଷ୍ଟବଳଙ୍କ ହାତକୁ କାମୁଡି ଦେଇଥିବା ଜଣାପଡିଛି । ମାଟି ଖୋଳାରେ ବ୍ୟବହୃତ ମେସିନ ଓ ଏକ ବଲେରୋ ଗାଡ଼ିର କାଚ ଉଭ୍ୟନ୍ତ ଜନତା ଭାଙ୍ଗି ଦେଇଥିଲେ। ପୁଲିସ ୬୦ ଜଣଙ୍କୁ ଥାନାକୁ ଉଠାଇ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ୨୧ ଜଣଙ୍କୁ କୋର୍ଟଚାଲାଣ କରିବା ସହ ଦୁଇ ମହିଳାଙ୍କୁ ଛାଡ଼ି ଦେଇଥିଲା। ପ୍ରତିବାଦରେ ଗ୍ରାମବାସୀ ସଂଗଠିତ ହୋଇ ଥାନା ଘେରାଉ କରିବା ସହ କଣିହାଁ-ରେଙ୍ଗାଳି ରାସ୍ତା ଅବରୋଧ କରିଥିଲେ । ଅନୁଗୁଳ ଓ ପାଲଲହଡା ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ସମେତ ୫ ଜଣ ଇନସ୍ପେକ୍ଟର ଓ ୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ପ୍ରଥମ ପର୍ୟ୍ୟାୟରେ ଜମି, ଘର, ଗଛ ଆଦି ଆକଳନ କରି କ୍ଷତିପୂରଣ ରାଶି ପ୍ରଦାନ, ପ୍ରଥମ ପର୍ୟ୍ୟାୟରେ ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନିଯୁକ୍ତ, ଦ୍ଵିତୀୟ ପର୍ୟ୍ୟାୟକୁ ଆଧାର କରି କଟ୍ ଅଫ୍। ଡେଟ୍ ବାହାର କରି ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି, ପ୍ଳଟ ପ୍ରତି ବଦଳରେ ଆବେଦନ କରିଥିବା ହିତକାରୀଙ୍କୁ ୧୬ ଲକ୍ଷ ଟଙ୍କା ପ୍ରଦାନ ଆଦି ଦାବିରେ ଗ୍ରାମବାସୀ ଅଡ଼ି ବସିଥିଲେ । ଖଣି ସମ୍ପ୍ରସାରଣ ପାଇଁ ମେସିନରେ ମାଟିକଟା ହେବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ। କେବଳ ଆଳିର ଘଟଣା ନୁହେଁ ଏମସିଏଲ ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ପୂରଣ ନକରି ଏହିପରି ବାରମ୍ବାର ମାଟି କାଟୁଥିବାରୁ ଗ୍ରାମବାସୀ ଖଣି ଖୋଳକୁ ବିରୋଧ କରୁଛନ୍ତି । ଗ୍ରାମଠାରୁ ୬୦ ମିଟରଙ୍କୁ ବାଦ ଦେଇ ଅନ୍ୟ ଜାଗାରେ ସମ୍ପ୍ରସାରଣ କରିବା ପାଇଁ ଗ୍ରାମବାସୀ,ଏମସିଏଲ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଥିଲା। କିନ୍ତୁ ପ୍ରତିବଦଳରେ ଗ୍ରାମବାସୀଙ୍କୁ ପଥରମୁଣ୍ଡାରେ ଏମ୍ସିଏଲ୍ ପକ୍ଷରୁ ପ୍ରସ୍ତାବିତ ପଥରମୁଣ୍ଡା ମୌଜାରେ ଥଇଥାନ କରାଯିବା କଥା କିନ୍ତୁ ଜମିହରାଙ୍କୁ ପ୍ଲଟ ବଣ୍ଟନ କାମରେ ଅହେତୁକ ବିଳମ୍ବ ହୋଇଥିବା ଏଭଳି କର ବା ମର ପରିସ୍ଥିତି ଦେଖା ଦେଉଛି । ମାତ୍ର ଦିନ ଗଡ଼ି ଚାଲିଥିଲେ ମଧ୍ୟ ଗ୍ରାମବାସୀଙ୍କ ଥଇଥାନ ହୋଇପାରିନାହିଁ। ତେଣୁ ଗତ ୧୫ ଦିନ ହେଲା ଗ୍ରାମବାସୀ ଖଣି ସମ୍ପ୍ରସାରଣକୁ ବିରୋଧ କରି ଆସୁଥିଲେ। ଏହାମଧ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିନି ତିନିଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ତେବେ ଏମସିଏଲ ଗତକାଲି ପୁଲିସ ପ୍ରଶାସନ ଲଗାଇ ଜୋରଜବରଦସ୍ତ ଗ୍ରାମର ଡ଼ମ ଢ଼ୀପସାହି ଓ ଯାତ୍ରାପଦା ସାହି ପୋଖରୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଶହ ଶହ ପୁରୁଷ ଓ ମହିଳା ଏହାକୁ ପ୍ରତିରୋଧ କରିଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ବରେ କଣିହାଁ ତହସିଲଦାର ପତିତପାବନ ଦେବତା, ଅତିରିକ୍ତ ତହସିଲଦାର ରବୀନ୍ଦ୍ର କୁମାର ସାମଲ, ପାଲଲହଡ଼ା ଏସ୍ପିଓ ସୁମନ ରଞ୍ଜିତା ସିଂହ, କଣିହାଁ ଥାନା ଆଇଆଇସି ରାଜେନ୍ଦ୍ର ନରାୟଣ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ସେପଟେ କରଡ଼ା ଗ୍ରାମଦାସୀ ଖଣି ସମ୍ପ୍ରସାରଣ କାର୍ୟ୍ୟକୁ ବେଆଇନ ଭାଗେ ବିରୋଧ କରୁଥିବାନେଇ ଗତ ୧୫ ତାରିଖରେ କଣିହାଁ ପ୍ରକଳ୍ପ ଅଧିକାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୧ ଜଣଙ୍କ ନାମରେ ମାମଲା ରୁକ୍ କରି ପରିସ୍ଥିତି ଉପରେ ନଜର ରଖିଥିଲା ।
ଏ ପ୍ରସଙ୍ଗରେ କଣିହାଁ ଖଣି ମହାପ୍ରବନ୍ଧକ କିଶୋର କୁମାର ରାଉଳ କହିଛନ୍ତି , ଖଣି ସମ୍ପ୍ରସାରଣ କାମକୁ ବିରୋଧ କରିବା ସମ୍ପୂର୍ଣ୍ଣ ବେଆଇନ୍ । ନୀତି ନିୟମ ଆଧାରରେ ଖଣି ସଂପ୍ରସାରଣ ହେଉଛି । ଗ୍ରାମବାସୀଙ୍କ ପାଇଁ କୌଣସି ବିପଦ ନାହିଁ । ନିଯୁକ୍ତ, କ୍ଷତିପୂରଣ ମିଳିଥିଲା ବେଳେ ଗ୍ରାମର ଥଇଥାନ ପାଇଁ ଏମ୍ସିଏଲ୍ ପକ୍ଷରୁ କଣିହାଁ ତହସିଲ ଅଧିନସ୍ଥ ପ୍ରସ୍ତାବିତ ପଥରମୁଣ୍ଡା ରକବାରେ ପ୍ଲଟ ଦେବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଶ୍ରୀ ରାଉଳ ପ୍ରକାଶ କରିଛନ୍ତି ।