ସଫାଇ କର୍ମଚାରୀ ଜାତୀୟ କମିଶନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

0

ଗୋପ/ଜୟନ୍ତ କୁମାର ସେଠୀ: ସଫାଇ କର୍ମଚାରୀ ଜାତୀୟ କମିଶନଙ୍କ ପକ୍ଷରୁ ସଫାଇ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ କମିଶନଙ୍କ ସଭ୍ୟ ଡଃ ପିପି ଭାଭା ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସଫେଇ କର୍ମଚାରୀଙ୍କ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ତଥ୍ୟ ନେଇଛନ୍ତି । ସଫାଇ କର୍ମଚାରୀ ମାନଙ୍କ ନିମନ୍ତେ ଦିଆଯାଉଥିବା ବିଭିନ୍ନ ସୁବିଧା ଓ ସୁବ୍ୟବସ୍ଥିତ ବନ୍ଦୋବସ୍ତ ନେଇ କମିଶନଙ୍କ ପକ୍ଷରୁ ଖୁସି ବ୍ୟକ୍ତ କରାଯିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ପୁରୀ ଜିଲ୍ଲାରେ ଥିବା ସଫେଇ କର୍ମଚାରୀଙ୍କ ଉପରେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସେମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରାଯାଉଥିବା କହିଥିଲେ । ପ୍ରାରମ୍ଭରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ସଫେଇ କର୍ମଚାରୀ ମାନଙ୍କ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ଶୌଚାଳୟ ସଫେଇରେ ୩୩୫ ଜଣ, ଡ୍ରେନ ସଫାରେ ୯୩, ସେପ୍ଟିକ ଟ୍ୟାଙ୍କ ସଫା ନିମନ୍ତେ ୮ ଓ ସ୍ୱେରେଜ ସଫେଇରେ ୬୪ ସମେତ ମୋଟ ୫୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଡ୍ରେନେଜ ଓ ସ୍ୱରେଜ ସଫେଇରେ ନିୟୋଜିତ କର୍ମଚାରୀ ମାନେ କର୍ତ୍ତବ୍ୟ ପାଳମ ବେଳେ ସେମାନଙ୍କ ନିମନ୍ତେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଶ୍ରୀ ସ୍ୱାଇଁ କହିଥିଲେ । ସେମାନଙ୍କ ସୁବିଧା ନିମନ୍ତେ ଗାରିମା ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବା ଯୋଜନାରେ ପକ୍କାଘର ବ୍ୟବସ୍ଥା କରାଯାଇଛି ।

ଏଥିସହ ଆବର୍ଜନାକୁ ପୁରୀର ପବିତ୍ର ମାଟିକୁ ସ୍ପର୍ଶ ନକରିବା କରିବା ନିମନ୍ତେ ସୁବ୍ୟବସ୍ଥିତ ଭାବେ ଆବର୍ଜନା ସଂଗ୍ରହ କରାଯାଉଛି ଓ ପୃଥକୀକରଣ କରାଯାଇ ଏଥିରୁ ଅର୍ଥ ଉପାର୍ଜନ କରାଯାଉଛି । ଏହାଦ୍ୱାରା ପ୍ରଦୂଷଣ ମାତ୍ରା କମ୍ ରହିବା ସହ ସଫେଇ କର୍ମଚାରୀମାନେ ଏକ ସୁସ୍ଥ ପରିବେଶ ମଧ୍ୟରେ କାମ କରୁଛନ୍ତି । ସାଧାରଣରେ ଆବର୍ଜନା ପକାଉଥିବା ସ୍ଥାନକୁ ପାର୍କ କିମ୍ବା ଅନ୍ୟ ମନୋରମ ସ୍ଥାନରେ ପରିଣତ କରାଯାଉଥିବା ଶ୍ରୀ ସ୍ୱାଇଁ ଉପସ୍ଥାପନ କରିଥିଲେ । ସେହିଭଳି ୨୦୧୫ ମସିହାରେ ୩୨ ଜଣ ମାନୁଆଲ ସ୍କାଭେଞ୍ଜରଙ୍କୁ ଚିହ୍ନଟ କରାଯିବା ସହ ରାଜ୍ୟ ସଫେଇ କର୍ମଚାରୀ ଆର୍ଥିକ ନିଗମ ପକ୍ଷରୁ ଋଣ ଦିଆଯାଇ ସେମାନଙ୍କୁ ଥଇଥାନ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ ଅବଗତ କରାଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ୱାଟକୋ ଜେନେରାଲ ମ୍ୟାନେଜର ଶରତ ଚନ୍ଦ୍ର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।