ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ଜଣେ କ୍ରେନ୍ ଅପରେଟରଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୪୮ ନଂ. ଜାତୀୟ ରାଜପଥ ନିକଟରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ତଳେ ଛିଡ଼ା ହୋଇଥିବା ଜଣେ କ୍ରେନ୍ ଅପରେଟରଙ୍କର ଏଥିରେ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁସାରେ, ସମାଲଖା ନିକଟରେ ଥିବା ଏକ ଫ୍ଲାଏଓଭରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ କ୍ରେନ୍ ଚଲାଉଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ମୁତାବକ, ନିର୍ମାଣ କାର୍ୟ୍ୟ ଚାଲିଥିବା ସ୍ଥାନରେ ଫ୍ଲାଏଓଭରର ଏକ ସେଗ୍ମେଣ୍ଟ ଚଳନ୍ତା କ୍ରେନ୍ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ତଳେ ଠିଆ ହୋଇଥିବା ଜଣେ ଜେସିବି ଚାଳକ ଏହା ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ଶିବ ମୂର୍ତ୍ତି ନିକଟରେ ବୁଧବାର ସକାଳ ୧୦ଟାରେ ଏହି ଦୁର୍ଘଟଣା ଘଟିଛି। ସମାଲଖାରୁ ମହିପାଲପୁର ପର୍ୟ୍ୟନ୍ତ ଏକ ନୂଆ ଫ୍ଲାଏଓଭର ନିର୍ମାଣ କରାଯାଉଛି। ନିର୍ମାଣାଧୀନ ଫ୍ଲାଏଓଭରର କିଛି ଅଂଶ ଭୁଶୁଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ୍, ଫରେନସିକ୍ ଟିମ୍ ଏବଂ ଏନଏଚଏଆଇର ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।