ଖବର ପ୍ରସାରଣ ପରେ ଜେଇଙ୍କ ବଦଳି: ଆଉ ଦୁଇ ବାକି

0

ଭୁବନେଶ୍ୱର: ରିପୋର୍ଟରସ୍ ଟୁଡେର ମହାପ୍ରଭାବ । ଦୀର୍ଘ ଦିନରୁ ଯଖ ପରି ମାଡିବସିଥିବା ଜେଇ ପଦରୁ କାହ୍ନୁ ବାବୁଙ୍କ ବଦଳି । ଦୀର୍ଘ ୫ ବର୍ଷରୁ ଅଧିକ ସମୟ ହେବ ବାବୁ ସେଠାରେ ନିୟୋଜିତ ଥିଲେ । ଏହି ୫ ବର୍ଷରେ ବିଭିନ୍ନ ସରକାରୀ କାର୍ଯ୍ୟରେ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା କରି ମାରୁଥିଲେ ଲକ୍ଷଲକ୍ଷ ଟଙ୍କା । ଏନେଇ ଗତ ଅଗଷ୍ଟ ୨୧ରେ ଆମେ ଏକ ଖବର ପ୍ରସାରଣ କରିଥିଲୁ । ଏହାକୁ ନେଇ ବିଏମସି ଅଧ୍ୟକ୍ଷଙ୍କ ନିଦ ଭାଙ୍ଗିଥିଲା ଓ ଏବେ ଜେଇଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛିି । ହେଲେ ଆଉ ଦୁଇଜଣଙ୍କୁ କାହିଁ ବଦଳି କରାଯାଉ ନାହିଁ ବୋଲି ପ୍ରଶ୍ନ ହେଉଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳର ଉନ୍ନତିକରଣ ଓ ରାଜଧାନୀବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ତାର କ୍ଷେତ୍ରଫଳକୁ ୬୭ଟି ୱାର୍ଡରେ ବିଭାଜନ କରିଛି । ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ୱାର୍ଡରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର (ଜେଇ), କମୁନିଟି ଅଫିସର (ସିଓ), ୱାର୍ଡ ଅଫିସରଙ୍କୁ ଗୋଟିଏ ୱାର୍ଡରେ ୩ ବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ କରିବାର ନିୟମ କରାଯାଇଛି । କିନ୍ତୁ ନୟାପଲ୍ଲୀର ୩୭,୩୮,୩୯ ୱାର୍ଡରେ କାର୍ଯ୍ୟ କରୁଥିବା ଜେଇ କାହ୍ନୁ ଦାସ, କମ୍ୟୁନିଟି ଅଫିସର ନିବେଦିତା ଦାସ ଓ ୱାର୍ଡ ଅଫିସର ରବି ନାରାୟଣ ସାହୁଙ୍କ ନିଯୁକ୍ତିକୁ ୫ ବର୍ଷରୁ ଅଧିକ ସମୟ ଅତିବାହିତ ହେଲାଣି । ହେଲେ ଏମାନଙ୍କୁ ବଦଳି ହେଉନଥିଲା । ଗୋଟିଏ ଜାଗାରେ ଦୀର୍ଘ କାଳ ରହିବାରୁ ସେମାନେ ଚଳାଇ ଆସୁଥିଲେ ମନମାନୀ । ପୂର୍ବତନ କର୍ପୋରେଟରଙ୍କ ହାତ ବାରସି ସାଜି ବିଭିନ୍ନ ସରକାରୀ ଯୋଜନାକୁ ବାଟ ମାରଣା କରିଚାଲିଥିଲେ ।

୩ଟି ୱାର୍ଡର ବିକାଶ ପାଇଁ ଆସୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଟେଣ୍ଡର ଏହି ତିନି ଅଧିକାରୀ କର୍ପୋରେଟରଙ୍କ ମୁତାବକ ସେମାନଙ୍କ ନିକଟ କଣ୍ଟ୍ରାକ୍ଟରଙ୍କୁ ଦେଇ ମିଲିଭଗତରେ ସବୁ ମାରିପିଟି ଖାଉଥିଲେ । ଫଳରେ ସେଠାର ରାସ୍ତା କାମ,ଡ୍ରେନେଜ କାମ ପାଇଁ ଅର୍ଥ ଆସୁଥିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ ହେଉନଥିଲା । ପ୍ରତି ବର୍ଷ ୱାର୍ଡଗୁଡିକ ପାଇଁ ଲକ୍ଷଲକ୍ଷ ଟଙ୍କା ଆସୁଥିଲେ ମଧ୍ୟ କାମ ନ କରି, କର୍ପୋରେଟରଙ୍କ ସମେତ ଏହି ତିନି ଅଧିକାରୀ ମିଶି ଖାଇଯାଉଥିଲେ । ଫଳରେ ବର୍ଷା ଋତୁ ଆସିଲେ ଲୋକଙ୍କ ଘରେ ପସୁଛି ପାଣି । ବସ୍ତି ଅଞ୍ଚଳରେ ଲୋକଙ୍କ ଦିନ କଟେ ଭୋକ ଉପାସରେ ରୋଷେଇ କରି ନ ପାରି । ରାସ୍ତାରେ ସୃଷ୍ଟ ଖାଲଖମାରେ ପାଣି ଜମି ଲୋକେ ବହୁ ସମସ୍ୟା ଭୋଗନ୍ତି ଯାତାୟାତରେ ।

ୱାର୍ଡରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଲୋକଙ୍କ ଭିତରେ ବହୁ ଦିନରୁ ଅସନ୍ତୋଷ ଭରି ରହିଥିଲା । ଏହାକୁ ନେଇ ରିପୋର୍ଟରସ୍ ଟୁଡେରେ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଏହି ଖବରକୁ ନେଇ ବିଏମସିର ନିଜ ଭାଙ୍ଗିଛି । ଜେଇ କାହ୍ନୁ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଜେଇଙ୍କ ବଦଳି ପରେ ୱାର୍ଡବାସୀ ଆନନ୍ଦିତ ହୋଇଥିବା ବେଳେ କେବେ କମ୍ୟୁନିଟି ଅଫିସର ଓ ୱାର୍ଡ ଅଫିସରଙ୍କ ବଦଳି ହେବ ତାକୁ ଅପେକ୍ଷା କରିଛନ୍ତି ।