ବାଲେଶ୍ବର : ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି । ଜଳେଶ୍ୱର ଷ୍ଟେସନ ପରିସରରେ ପ୍ଲାଟଫର୍ମ ନଂ-୧ ,୨ ଓ ୩ ରେ ୭୦ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ୨ ଟି ଲିଫ୍ଟକୁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରେଳଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଖଡ଼ଗପୁର ଡିଆରଏମ ଏଚ.ଏସ.ହାସମୀ, ସିପିଏମ ଅଖିଲେଶ କୁମାର, ସିନିୟର ଡିସିଏମ ରାଜେଶ କୁମାର, ଜଳେଶ୍ୱରର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ସମେତ ବହୁ ବରିଷ୍ଠ ରେଳ ଅଧିକାରୀ , ସ୍ଥାନୀୟ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଜଳେଶ୍ୱର ଷ୍ଟେସନର ଉନ୍ନତି କରଣ ଓ ନବୀକରଣ କରାଯାଇ ଏକ ଆଧୁନିକ ରେଳ ଷ୍ଟେସନ ପାଇଁ ୫କୋଟି ୩୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ଏହି ଅବସରରେ ଜଳେଶ୍ୱର ରେଳ ୟୁଜର୍ସ କମିଟି, ସମାଜ କଲ୍ୟାଣ ବିକାଶ ପରିଷଦ ଓ ସିପିଏମ ପକ୍ଷରୁ ପୃଥକ ପୃଥକ ଦାବିପତ୍ର ଓ ବିଭିନ୍ନ ପାସେଞ୍ଜର ଟ୍ରେନ , ଏକ୍ସପ୍ରେସ ଟ୍ରେନ ଚଳାଚଳ ଓ ରହଣି ସମ୍ପର୍କରେ ସାଂସଦ ଓ ଡିଆରଏମଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।