ଭୁବନେଶ୍ୱର: ସାମ୍ବାଦିଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଆସନ୍ତା ଜୁନ୍ ୧୩ ତାରିଖରୁ ଲୋକସେବା ଭବନରେ ପ୍ରବେଶ କରିପାରିବେ ସାମ୍ବାଦିକ । ତେବେ ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ ବୋଲି କୁହାଯାଉଛି । ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର । କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା । ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା । ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଲୋକସେବା ଭବନକୁ ସାମ୍ବାଦିକ ମାନେ ଯାଇପାରିବେ ବୋଲି କୁହାଯାଉଛି ।