ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ

0

ନୂଆଦିଲ୍ଲୀ-: ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ସୁପ୍ରିମକୋର୍ଟର ୫୨ତମ CJI ହୋଇଛନ୍ତି । ସେ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଉନ୍ନୀତ ହେବାରେ ପ୍ରଥମ ବୌଦ୍ଧ ସମ୍ପ୍ରଦାୟର ଏବଂ ଅନୁସୂଚିତ ଜାତିରୁ ଦ୍ୱିତୀୟ ବିଚାରପତି ହୋଇଛନ୍ତି । ତାଙ୍କର ପଦୋନ୍ନତି ନିହାତି ଭାବରେ ଐତିହାସିକ ଏବଂ ସାମ୍ବିଧାନିକ ନୈତିକତାର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ଛଅ ମାସ ହେବ ।

ଜଷ୍ଟିସ ବି.ଆର୍ ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ । ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ କ୍ୟାରିୟର । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ। ସେ ୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜି ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ଏହାସହ ବିହାର ଓ କେରଳର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଆରଏସ ଗଭାଇଙ୍କ ପୁଅ ହେଉଛନ୍ତି ବି.ଆର୍ ଗଭାଇ ।