୪ରେ ଶପଥ ନେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର

0

(କଟକ): ଆସନ୍ତା ୪ ତାରିଖରେ ଓଡ଼ିଶା ହାଇକୋର୍ଟର ନୁଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ. ମୁରଲୀଧର ଶପଥ ନେବେ । ସୋମବାର ଦିନ ସକାଳ ୧୦ଟାରେ ସେ ଶପଥ ଗ୍ରହଣ କରିବେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ନିଯୁକ୍ତି ପାଇଥିବା ନେଇ ଗତ ୩୧ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେ ପଞ୍ଜାବ-ହରିଆଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ।
ଜଷ୍ଟିସ ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଭୋପାଳ ଗ୍ୟାସ ଘଟଣାର ପୀଡିତ ଓ ନର୍ମଦା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କିତ ମାମଲାର ପରିଚାଳନା କରିଥିଲେ । ଏହାଛଡା ବହୁ ଜନସ୍ୱାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସମ୍ପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ । ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ଗତବର୍ଷ ମାର୍ଚ୍ଚ ୬ରେ ସେ ପଞ୍ଜାବ ଓ ହରିଆନା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ଉଲ୍ଲେଖଯୋଗ୍ୟ, ଜଷ୍ଟିସ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ।