(କାକଟପୁର/ ଆର୍ଯ୍ୟ ବିଶ୍ୱାଳ): କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ଏହା ସହିତ ମହିଳାଙ୍କ ଦ୍ୱାରା ଚାଲିଥିବା ପନ୍ଥେଇ ଓଷା ଶେଷ ହୋଇଛି। ଏହି ପ୍ରସିଦ୍ଧ ଝାମୁ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଧୂପ, ଦୀପ, ନୈବେଦ୍ୟ ସହ ଅଧାତ୍ମିକ ପରିବେଶରେ ଶେଷ ହୋଇଛି କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା. ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ନେତ୍ରୋଶ୍ଚବ ଠାରୁ ଆରମ୍ଭ ହୋଇଥିବା ମାଙ୍କ ପାଳି ଯାତ୍ରା ଝାମୁଯାତ୍ରା ପରେ ପରେ ଉଦୁଯାପିତ ହୋଇଯାଇଛି । ଭୋରୁ ମାଙ୍କର ସ୍ନାନ ମାର୍ଜନା, ସୂର୍ଯ୍ୟପୂଜା, ଅନୁଷ୍ଠିତ ହୋଇଥିଲା। ପରେ ମାଙ୍କର ବିରଳ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଏଥିସହିତ ପଞ୍ଚମ ପାଳିରେ ମାନସିକ ରଖି ଗ୍ରାମାଞ୍ଚଳ ମହିଳା ମାନଙ୍କ ଦ୍ୱାରା ଚାଲିଥିବା ପନ୍ଥେଇ ଓଷା ଶେଷ ହୋଇଯାଇଛି।
ଝଙ୍କଡ଼ ସାରଳା ପୀଠରୁ ଆସିଥିବା ପାଟୁଆ ମାନେ ପାରମ୍ପରିକ ଢୋଲ, ମହୁରୀ ବାଦ୍ୟର ରୋଷଣୀରେ ମାଙ୍କ ଠାରୁ ଆଜ୍ଞା ମାଳ ନେଇ ନିଆଁ ଗର୍ତ୍ତରେ ଚାଲିଥିଲେ। ଏହା ସହିତ ପାଟୁକା ମାନେ ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁକା ନୃତ୍ୟ ପରିବେଷଣ କରି ଯାତ୍ରାର ସମାପନ କରିଥିଲେ। ମାଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମାଙ୍କ ଝାମୁ ଯାତ୍ରାକୁ ଦେଖିଥିଲେ। ରାଜ୍ୟର ଅନ୍ୟତମ ଶକ୍ତି ପୀଠ ମାନଙ୍କ ରେ ପଣାସଂକ୍ରାନ୍ତି ରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା ମଙ୍ଗଳାଙ୍କ ପୀଠରେ ପଞ୍ଚମ ପାଳି ଯାତ୍ରାରେ ଝାମୁ ଅନୁଷ୍ଠିତ ହୋଇଥାଏ।