ନାରାୟଣପାଟଣା / ଦିଲ୍ଲୀପ ଦାସ : କୋରାପୁଟ ଜିଲ୍ଲା ନାରାୟଣପାଟଣା ରେ ଦୈନିକ ଏବେ କାଳ ବୈଶାଖୀ ସମସ୍ୟା ସୃଷ୍ଟି କରୁଛି। ଫଳରେ ସବୁଦିନ କିଛି ନା କିଛି ଦୁର୍ଘଟଣା ଦେଖା ଦେଇଛି। ଅପରାହ୍ନ ହେବା କ୍ଷଣି ପବନ ସହ ମାଡିଆସୁଛି କାଳ ବୈଶାଖୀ। ବିଜୁଳି ଘଡ ଘଡି ଶବ୍ଦରେ କମ୍ପି ଉଠୁଛି ଅଞ୍ଚଳ। ଏସବୁ ଦେଖିବା ମାତ୍ରକେ ଲୋକେ ଭୟଭୀତ ହୋଇ ଯିଏ ଯୋଉଠି ପାରିଲା ସେଠି ଆଶ୍ରା ନେବାକୁ ରହିଯାଉଛନ୍ତି। କିନ୍ତୁ କାଳ ବୈଶାଖୀ କାଳ ସାଜି ଗୋଟିଏ କି ଦୁଇଟା ଜୀବନ ନ ନେଲା ଯାଏଁ ଶାନ୍ତ ପଡୁନି। ନାରାୟଣ ପାଟଣାରେ ଏହାର ପ୍ରଭାବ ପଡିଛି। ନାରାୟଣ ପାଟଣା ବ୍ଲକ ରେ କାଳ ବୈଶାଖୀ ତାର ତାଣ୍ଡବ ରଚିଥିଲା।ବ୍ଲକର ଉପରଗୁମାଣ୍ଡି ଗାଁରେ ବଜ୍ରପାତରେ ୨୨ ଟି ଛେଳି ଓ ମେଣ୍ଢା ମୃତ୍ୟୁ ବରଣ କରିଥିବା ବେଳେ ତଳଗୁମାଣ୍ଡି ପଞ୍ଚାୟତ ର ଭିତରପଡ଼ା ଓ ଚିକଲ୍ ଗୁମାଣ୍ଡି ରାସ୍ତା ସମେତ ଅନେକ ଚାଷ ଜମିରେ ମାଟି ଚରି ଅନେକ କ୍ଷୟକ୍ଷତି ଘଟିଛି। ସେହିପରି ବିଜାଘାଟି ପଞ୍ଚାୟତର ତୁର୍ଲି ଅଞ୍ଚଳରେ ମଧ୍ୟ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି ।ଝଡ଼ିପଦର ଗ୍ରାମରେ ଘରର କାନ୍ଥ ଭୁଷୁଡ଼ି ଜୁଡୁଙ୍ଗି ସିରିକା ନାମକ ଜଣେ ମହିଳା ଅଣ୍ଟାରେ ମାଡ଼ ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରବିବାର ଦିନ ନାରାୟଣପାଟଣା ସାପ୍ତାହିକ ହାଟ ଥିବାରୁ ଅନେକ ଲୋକେ ହାଟକୁ ଆସିବାରେ ମଧ୍ୟ ଅସୁବିଧା ଭୋଗୀ ଥିବା ଦେଖିବାକୁ ମିଳିଛି।