ଡକାୟତି ଗ୍ୟାଙ୍ଗକୁ ଧରିଛି କଳାହାଣ୍ଡି ପୋଲିସ

0

କଳାହାଣ୍ଡି /ଜନକ ପୋଡ଼: ଡକାୟତି ଘଟଣାର ପର୍ଦ୍ଧାଫାସ କରିଛି କଳାହାଣ୍ଡି ପୋଲିସ । ଏହି ଘଟଣାରେ ସଂପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଅଧିକ ଟଙ୍କା, ବାଇକ୍, ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ଏସପି ଅଭିଳାଷ ଜି. ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସାଇଁତଲା ଥାନା ରେଙ୍ଗାଲି ଗ୍ରାମର ରାଜ୍ କିଶୋର ନାଗ ନିଜ ପାଖରୁ କିଛି ସୁନା କମ୍ ଦାମରେ କିଣିବା ପାଇଁ ପୁଇଁତଲାର ଗୁଣନିଧି ସାହୁଙ୍କୁ କହିଥିଲେ । ସମସ୍ତ ସୁନାକୁ ୧୩ ଲକ୍ଷ ୫ ହଜାରରେ କିଣିବା ପାଇଁ ଗୁଣନିଧି ରାଜି ହୋଇଥିଲେ । ସୁନା ନେଇ ଟଙ୍କା ଦେବାକୁ ଭବାନୀପାଟଣା ନିକଟରେ ନିର୍ମାଣାଧିନ ବାଇପାସ ରାସ୍ତାରେ ଜାଗା ସ୍ଥିର ହୋଇଥିଲା । ଗୁଣନିଧି ସେହି ସ୍ଥାନରେ ପହଞ୍ଚିବା ପରେ ସୁନା ନଦେଇ ତାଙ୍କଠାରୁ ୧୩ ଲକ୍ଷ ୫ ହଜାର ଟଙ୍କା ଲୁଟ କରାଯାଇଥିଲା । ଏପରିକି ରାଜକିଶୋରର ସାଥୀମାନେ ସିଆରପିଏଫ୍ ପୋଲିସ ଡ୍ରେସରେ ମଧ୍ୟ ଗୁଣନିଧିଙ୍କୁ ଭୟଭୀତ କରିଥିଲେ । ଏନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସଦର ପୋଲିସ ଏସଡିପିଓ ସୁନାରାମ୍ ହେମ୍ରମ୍ ଓ ଆଇଆଇସି ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଟିମ୍ ଗଠନ କରି ବଲାଙ୍ଗୀର ଓ ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କନ୍ଧଉଳବା ଗାଁର ବିନୟ ସେଠ (୩୯) , ରେଙ୍ଗାଲି ଗ୍ରାମର ରାଜକିଶୋର ନାଗ (୩୦), ଚାରଭଟା ଗ୍ରାମର ବବଲୁ ରଣା (୨୯), ଭବାନୀପାଟଣା ଗୋଶାଲପଡ଼ାର ଜନିଲା ହେମନ୍ତ କୁମାର (୩୭), ନୂଆଗାଁର ସୁଶାନ୍ତ ନାୟକ (୨୮), କରନପିଟାର ମହେନ୍ଦ୍ର ମହତୋ (୩୦), ଇରିଗେସନ କଲୋନୀର ମାନସ ବିଶି(୪୦), ନୂଆଗାଁର ରବୀନ୍ଦ୍ର ନାୟକ(୪୨), ନୂଆଗାଁର ସୁଦାମ ନାୟକ(୪୨), ନୂଆଗାଁର ଶାନ୍ତା ନାୟକ(୨୮), ନୂଆଗାଁର ସୁଜିତ୍ ବାଗ(୨୬), ନୂଆଗାଁର ଉମାଶଙ୍କର ତାଣ୍ଡି(୪୪), ନୂଆଗାଁର କ୍ଷୀତିସ୍ ନାୟକ(୨୪) ସମେତ ୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ୫ ଲକ୍ଷ ୭୪ ହଜାର ୫୦୦ ଟଙ୍କା , ସୁନା, ଗୋଟିଏ ବାଇକ୍, ୧୪ ଟି ମୋବାଇଲ, ୯ ଟି ରୁପା ଟଙ୍କା , ଗୋଟିଏ ତମ୍ବା ଗଡୁ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।