ସପ୍ତମ ଦିନରେ ଜ୍ଞାନବାପୀରେ ସର୍ଭେ, ଭିଡିଓଗ୍ରାଫି ସହ ଥ୍ରୀଡି ମ୍ୟାପିଂ

0

କାନପୁରର : ଏଏସଆଇ ପକ୍ଷରୁ ସପ୍ତମ ଦିନରେ ଜ୍ଞାନବାପୀରେ ସର୍ଭେ କରାଯାଇଛି । ଏଏସଆଇ ଟିମ ଗୁରୁଦିନ ସକାଳ ପ୍ରାୟ 8ଟାରେ ଜ୍ଞାନବାପୀ ପରିସରରେ ପହଞ୍ଚି ସର୍ଭେ କରିଛି । ଲଗାତର ଭାବେ 7ଦିନ ଧରି ଜ୍ଞାନବାପୀ ପରିସରରେ ସର୍ଭେ କରିଛି ଏଏସଆଇ । ଜ୍ଞାନବାପୀ ପରିସରର ପ୍ରତି କୋଣ ଅନୁକୋଣର ଫଟୋ ଉଠାଯିବା ସହ ଭିଡିଓଗ୍ରାଫି କରାଯାଇଛି । ଏହାସହିତ ଥ୍ରୀଡି ମ୍ୟାପିଂ ମଧ୍ୟ କରାଯାଇଛି । ଥ୍ରୀଡି ଇମେଜ ପାଇଁ ଏଏସଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଡିଜିପିଏସ ବା ଡିଫରେଶିୟଲ ଗ୍ଲୋବଲ ପୋଜିସନିଂ ସିଷ୍ଟମ ଲଗାଯାଇଛି ।

ବୁଧବାର ଷଷ୍ଠ ଦିନରେ ଜ୍ଞାନବାପୀର ବେସମେଣ୍ଟ କାନ୍ଥ ଓ ଚଟାଣଗୁଡିକର ଥ୍ରୀଡି ମ୍ୟାପିଂ କରାଯାଇଥିଲା । ପଶ୍ଚିମ କାନ୍ଥ ସହିତ ବେସମେଣ୍ଟ ନିକଟରେ ପଡ଼ିଥିବା ଆବର୍ଜନାଗୁଡିକ ମଧ୍ୟ ରେକର୍ଡ କରାଯାଇଥିଲା । ଜ୍ଞାନବାପୀର ପୂର୍ବରେ ଥିବା ମୀନାର ଓ ସିଡି ଗୁଡିକ ମଧ୍ୟ ଟିମ୍ ଅନୁଧ୍ୟାନ କରିଥିଲା ଟିମ୍ । ଏଥିରେ ବ୍ୟବହାର କରାଯାଇଥିବା ପଥର ଗୁଡିକର ଯାଞ୍ଚ ମଧ୍ୟ କରାଯାଇଥିଲା । ପଥର ଉପରେ ଥିବା ବିଭିନ୍ନ ଚିତ୍ରଗୁଡିକର ମଧ୍ୟ ଭିଡିଓଗ୍ରାଫି କରାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, 42ଜଣିଆ ବିଶେଷଜ୍ଞ ଦଳ ଜ୍ଞାନବାପୀ ପରିସରରେ ସର୍ଭେ କରୁଛନ୍ତି । ଏହି 42 ଜଣିଆ ଟିମ୍ 4ଟି ଦଳରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନର ଛାନଭିନ କରୁଛନ୍ତି । 10ଜଣିଆ ଟିମ୍ ଦକ୍ଷିଣ ବେସମେଣ୍ଟରେ ଥିବା ବ୍ୟାସଜୀଙ୍କ କଠୋରୀରେ ପ୍ରବେଶ କରିଥିବା ବେଳେ ଆଉ ଏକ 10ଜଣିଆ ଟିମ୍ ଉତ୍ତର ବେସମେଣ୍ଟରେ ଯାଞ୍ଚ କରିଥିଲେ । ଅନ୍ୟପଟେ ଜ୍ଞାନବାପୀର ଜିପିଆର ସର୍ଭେ ପାଇଁ କାନପୁର ଆଇଆଇଟିରୁ ଆସିବେ ଏକ ବିଶେଷଜ୍ଞ ଟିମ୍ ।ଜ୍ଞାନବାପୀ ସର୍ଭେ ପାଇଁ ପରିସର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂରା ଅଞ୍ଚଳରେ ପୋଲିସ ଛାଉଣୀ କରାଯିବା ସହ ପାଟ୍ରୋଲିଂ କରାଯାଉଛି ।