କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାର ଶେଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନ ଧରି କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିବେ। ମେ ୩୦ ତାରିଖରେ ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଶେଷ ହେବ। ତେଣୁ ମୋଦୀ ମେ ୩୦ ତାରିଖ ସନ୍ଧ୍ୟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଧ୍ୟାନ କରିବେ। କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦୀ ସ୍ମାରକୀ ସ୍ଥଳର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ଏଠାରେ ଧ୍ୟାନ କରିବା ପରେ ବିବେକାନନ୍ଦଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ। ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ତିନିଦିନ ଧରି ଧ୍ୟାନ କରିଥିଲେ। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ୨ ହଜାର ପୋଲିସ କର୍ମୀଙ୍କ ସହିତ ଅନେକ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଆଗାମୀ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହେଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରାଜନୈତିକ ଗୁରୁତ୍ୱ ମଧ୍ୟ ବଢି ଯାଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାଳରେ କୌଣସି ଅସୁରକ୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ୨ ହଜାର ପୋଲିସ କର୍ମଚାରୀ ମୁତୟନ ରହିବେ । ତିରୁନେଲଭେଲି ରେଞ୍ଜ ଡିଆରଜି ପ୍ରବେଣ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଲେଣି । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଛି । ତେବେ ୨୦୧୯ ନିର୍ବାଚନ ଅଭିଯାନ ପରେ କେଦାରନାଥ ଗୁମ୍ଫାରେ ଧ୍ୟନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଧ୍ୟାନ ଗସ୍ତ । ତେବେ ମୋଦିଙ୍କ ଧ୍ୟନ କାଳରେ ଉପକୂଳ ସୁରକ୍ଷା ଗୃପ , ଭାରତୀୟ କଷ୍ଟଗାର୍ଡ , ଭାରତୀୟ ନୌସେନା ସମୁଦ୍ର ସୀମା ଉପରେ ନଜର ରଖିବେ । ସୁରକ୍ଷା ନିମନ୍ତେ ରକ ମେମୋରିଆଲ. ବୋଟ ଜେଟି, ହେଲିପ୍ୟାଡ ଓ ରାଜ୍ୟ ଅତିଥି ଗୃହର ନିରୀକ୍ଷଣ କରାଯାଇଛି ।