(ଅନୁସ୍ୱୟା)ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ସମସ୍ତ ଶୈବପଂଠ ଚଳଚଂଚଳ । ଏହା ସହ ଆ-କା-ମା-ବୈରେ କମ୍ପିବ ଭୁବନେଶ୍ୱର ବିନ୍ଦୁ ସାଗର ସମେତ ବିଭିନ୍ନ ପୁଷ୍କରିଣୀ ଓ ଜଳାଶୟ । ଡଙ୍ଗା ଭସାଇବାକୁ ଜମିବ ଶ୍ରଦ୍ଧାଳୁଙ୍କ ସମାଗମ । ଏହାକୁ ନଜରରେ ରଖି ବିନ୍ଦୁସାଗରରେ ସଫେଇ କାମ ଶେଷ ପର୍ୟ୍ୟାୟରେ ପହଁଚିଛି । ଆସନ୍ତାକାଲି ଭୋର ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଆସନ୍ତା କାଲି ପାଇଁ ଲିଙ୍ଗରାଜ ମନ୍ଦିର ଏବଂ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଭୋର ୩ଟାରୁ ସକାଳ ୧୦ଟା ଯାଏଁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ କରିପାରିବେ। ସେପଟେ ପୁରୀରେ ପଞ୍ଚୁକର ଶେଷ ଦିନରେ ମହାପ୍ରଭୂ ରାଜରାଜେଶ୍ଵର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।
ଡଙ୍ଗା ଭସାଣକୁ ଦୃଷ୍ଟିରେ ରଖି ବଜାରରେ ବିକ୍ରୀ ହେଉଛି ଭଳିକି ଭଳି ଡଙ୍ଗା। ଚଳିତ ବର୍ଷ ସୋଲ ଡଙ୍ଗା ଉପରେ କଟକଣା ଲାଗିଥିବାରୁ ଏଥର କାର୍ଡବୋର୍ଡ ଡଙ୍ଗାର ଚାହିଦା ଅଧିକ ରହିଛି। ସେହି ସମୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବିନ୍ଦୁସାଗରରେ ଏକ ବିଶାଳ ବୋଇତ ଭସାଇବାକୁ ବ୍ୟବସ୍ଥା କରାଯାଇଛି। ଯାହା ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ତିଆରି କରାଯାଇଛି । ଏହି ଡଙ୍ଗାଟି ଦେଖିବାକୁ ଯେତିକି ବଡ ସେତିକି ଆକର୍ଷଣୀୟ। ଯାହାକୁ ପୁରୁଣା ଭୁବନେଶ୍ବର ନିବାସୀ ହୃଷିକେଶ ବେହେରା ନିର୍ମାଣ କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ଏହି ସ୍ବତନ୍ତ୍ର ଡଙ୍ଗା ତିଆରି କରିବାର ଦାୟିତ୍ବ ହୃଷିକେଶଙ୍କୁ ହସ୍ତାନ୍ତର କରାଯାଇଛି ।
ଅନ୍ୟପଟେ ବିଭିନ୍ନ ଡଙ୍ଗା ଦୋକାନରେ ବି ଭିନ୍ନ ଭିନ୍ନ ପ୍ରକାରର ଡଙ୍ଗା ବିକ୍ରି ହେଉଛି । ବଜାରରେ ଏଥର ଡ୍ରାଗନ ଡଙ୍ଗା ଓ ବୋଟ୍ ଡଙ୍ଗାର ବେଶ୍ ଚାହିଦା ରହିଛି। କିନ୍ତୁ କଦଳୀ ପଟୁଆର ଡଙ୍ଗାର ରହିଛି ଅନେକ ମହତ୍ତ୍ବ।ତେବେ କାର୍ତ୍ତିକ ପୂର୍ଣ୍ଣିମାର ଏହି ବିଶେଷ ମୂହୁର୍ତ୍ତକୁ ଓଡ଼ିଆମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।