ନଜରବନ୍ଦୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ!

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ତାଙ୍କୁ ଗୃହବନ୍ଦୀ କରିଥିବା ଆମ ଆଦମୀ ପାର୍ଟି (ଆପ) ଟ୍ୱିଟ କରି ସୂଚନା ଦେଇଛି । କିନ୍ତୁ ଏହି ଅଭିଯୋଗକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ଧରି ବିଭିନ୍ନ ରାଜ୍ୟର ଚାଷୀ ଦିଲ୍ଲୀ ସୀମାରେ ଡେରା ପକାଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇଥିବା ବେଳେ ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଦିଲ୍ଲୀକୁ ଲାଗି ରହିଥିବା ସିନ୍ଧୁ ସୀମାରେ ଚାଷୀମାନେ ଆନ୍ଦୋଳନରେ ବସିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସେମାନଙ୍କୁ ଭେଟିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ କେଜ୍ରିୱାଲଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଜଣାପଡିଛି । ଚାଷୀଙ୍କୁ ଜେଲରେ ପୁରାଇବା ପାଇଁ ତାଙ୍କ ଉପରେ ଚାପ ପଡୁଥିଲା । କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ । ଏହାଛଡା ଚାଷୀମାନଙ୍କ ଦାବି ଯଥାର୍ଥ ଓ ତାଙ୍କ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା କେଜ୍ରିୱାଲ କହିଥିଲେ । ଚାଷୀଙ୍କ ବିକ୍ଷୋଭକୁ ସମର୍ଥନ ଦେଇ ଫେରିବା ପରେ ତାଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଥିବା ଆପ ଅଭିଯୋଗ ଆଣିଛି । ତାଙ୍କ ଘର ବାହାରେ ସୁରକ୍ଷାକର୍ମୀ ଜଗି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘର ଚାରିପଟେ ବ୍ୟାରିକେଡ କରିଦିଆଯାଇଛି । ତାଙ୍କ ଘର ଭିତରକୁ ଯିବା କିମ୍ବା ବାହାରିବା ପାଇଁ ଅନୁମତି ନାହିଁ ବୋଲି ଆପ ଅଭିଯୋଗ କରିଛି ।