ଆଜି ଅଭିନେତ୍ରୀ କେତକୀଙ୍କୁ ମିଳିଲା ଜାମିନ

ଭେଟରାନ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଆଜି ଜାମିନ ମିଳିଛି।

0

(ମୁମ୍ବାଇ) : ଅଭିନେତ୍ରୀ କେତକୀ ଚିତଲେଙ୍କୁ ଆଜି ମିଳିଲା ଜାମିନ । ଭେଟରାନ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଆଜି ଜାମିନ ମିଳିଛି। ଥାନେର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ଏବେ ବାହାରିବେ ନାହିଁ।

 

ତାଙ୍କ ନାଁରେ ଆହୁରି ଏକାଧିକ ମାମଲା ରହିଛି। ତେଣୁ ମାସେରୁ ଅଧିକ ଦିନ ହେଲା ଜେଲରେ ଥିବା କେତେକୀଙ୍କୁ ଆଜିର ଜାମିନ କୌଣସି ପ୍ରକାରର ଆଶ୍ୱସ୍ତି ଦେଇନି। ମେ’ ୧୪ରେ ଥାନେ ପୁଲିସ ଦ୍ୱାରା ଗିରଫ ହୋଇଥିବା କେତକୀ ଏହାକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ମଧ୍ୟ ଗୋଟିଏ ଆବେଦନ ଦାଖଲ କରିଛନ୍ତି। ଏହାର ଶୁଣାଣି ଆସନ୍ତା ସପ୍ତାହରେ ହେବ। ସେ ତାଙ୍କ ଆବେଦନରେ ଗିଫରଦାରୀକୁ ବେଆଇନ ବୋଲି ଦର୍ଶାଇବାକୁ ନିବେଦନ କରିଛନ୍ତି।

 

ସୂଚନାନୁଯାୟୀ , ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ ପୋଷ୍ଟ ପାଇଁ ୨୯ ବର୍ଷୀୟ କେତକୀଙ୍କ ନାଁରେ ପୁଲିସ୍‌ ୨୦ରୁ ଅଧିକ ମାଲା ରୁଜୁ କରିଛି। ତାଙ୍କ ବିରୋଧରେ ସମ୍ମାନହାନୀ, ଆପତ୍ତିଜନକ ଲେଖା ପୋଷ୍ଟ କରିବା ଓ ଧର୍ମ ଏବଂ ଜାତିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ମାମଲା ରୁଜୁ କରାଯାଇଛି। ଗତଥର ତାଙ୍କ ଜାମିନ ଆବେଦନ ଖାରଜ କରିବା ବେଳେ ବିଚାରପତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଥିଲେ।