ଖୋର୍ଦ୍ଧା : ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ , ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ଆଦି ଉପସ୍ଥିତ ଥିଲେ । ଶିବିରରେ ସମୁଦାୟ ୭୯୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୭୮୭ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ । ୪ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଦୁଇ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୮ ହଜାର ୪ ଶହ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଛନ୍ତି ଏବଂ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲଚେୟାର ପ୍ରଦାନ କରିଥିବା ଜଣାପଡିଛି । ଉକ୍ତ ଶିବିରରେ ବାଣପୁର ବିଡ଼ିଓ ବୁଲବୁଲ ବେହେରା , ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ହିତାଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।