ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ । ଖୋର୍ଦ୍ଧା ନବନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୯ ତାରିଖରୁ ୩ ଦିନ ପାଇଁ ମିଳିଛି ଜାମିନ । ଜିଲ୍ଲା ପ୍ରଥମ ଅତିରିକ୍ତ ଦୌରାଜଜଙ୍କ ପାଖରେ ଶୁଣାଣି ପରେ ମିଳିଛି ଅନ୍ତରୀଣ ଜାମିନ । ୯ରୁ୧୧ ତାରିଖ ପର୍ଯ୍ୟନ୍ତ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।ତେବେ ଜେଲରେ ସେ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାର ନୂତନ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହୋଉଥିଲେ । ତେବେ ସେ ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ପରାଜିତ କରିଛନ୍ତି ।