(ଆଦର୍ଶ ରାଉତ / ମୃତ୍ୟୁଞ୍ଜୟ ): ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଥମ ଥର ପାଇଁ ଓଡ଼ିଶାରେ କିଡନୀ ପ୍ରତିରୋପଣ ହେବାକୁ ଯାଉଛି । ଆପୋଲ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଶ୍ରୀମତି ପି. ପ୍ରିୟଙ୍କା ରାଣି ପାତ୍ର(୨୬)ଙ୍କ ଦୁଇଟି କିଡନୀ କଢାଯାଇଛି । ଏଥିରୁ ଗୋଟିଏ କିଡନୀ କଟକ ଏସ୍ସିବି ମେଡିକାଲକୁ ପଠାଯାଇଥିବା ବେଳେ ଅନ୍ୟଟି ଆପୋଲ ହସ୍ପିଟାଲରେ ରହିଛି । ଏନେଇ ମଙ୍ଗଳବାର ଆପୋଲ ହସ୍ପିଟାଲ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଏହି ସଫଳତାର ଶ୍ରେୟ ମିଳିଛି ଭୁବନେଶ୍ୱରର ଆପୋଲ ହସ୍ପିଟାଲକୁ ।
ଗତ ଜାନୁଆରୀ ୨୬ ତାରିଖ ଦିନ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ କାର ଦୁର୍ଘଟଣା ହୋଇଥିଲା । ପ୍ରିୟଙ୍କା ତାଙ୍କ ପରିବାର ଲୋକଙ୍କ ସହ କାରରେ ଯାଉଥିବା ବେଳେ କାରଟି ଦୂର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପ୍ରିୟଙ୍କାଙ୍କ ସମେତ ତାଙ୍କର ୭ ବର୍ଷର ଝିଅ ମଧ୍ୟ ଗୁରୁତ୍ୱର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସେଠାରୁ ଆପୋଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।