ଅନୁଗୁଳ/ସୁଧାକର ସାହୁ : ସାମାନ୍ୟ ବଚସାରୁ ଟେଲରଙ୍କୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ । ସୂଚନା ଅନୁସାରେ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇମହଲା ଘରେ ଜଣେ ବ୍ୟକ୍ତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ବଅଁରପାଳ ପୁଲିସକୁ ଖବର ମିଳିଥିଲା । ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି କ୍ଷତାକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣଙ୍କ ଯାଜପୁର ରୋଡ ଅଞ୍ଚଳର ମଧୁସୁଦନ ନାୟକ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ମଧୁସୂଦନ କିଛି ବର୍ଷ ହେଲା ବଅଁରପାଳ କଲେଜ ନିକଟରେ ରହି ଟେଲର କାମ କରୁଥିଲେ । ଗୁରୁବାର ଦ୍ବିପ୍ରହରରେ ମଧୁସୁଦନକୁ କେହି କଇଁଚି ଭୂଷି ଦେଇଥିବା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ।
ରକ୍ତ ଜୁଡ଼ୁବୁଡ଼ୁରେ ମଧୁସୁଦନ ପଡି ଥିବା ଦେଖି ସଙ୍ଗେ ସଙ୍ଗେ ପୁଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଏପଟେ ପୋଲିସ ତଦନ୍ତ କରି ମଧୁସୁଦନଙ୍କୁ କଇଁଚି ଭୂଷିଥିବା ଯୁବକ କମଳ ଲୋଚନ ବେହେରାଙ୍କୁ ବଅଁରପାଳ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, କମଳ ମଧ୍ୟ ଜଣେ ଟେଲର ହୋଇଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତ୍ୟକ୍ତ ହୋଇ କମଳ ଏକ କଇଁଚିରେ ମଧୁସୂଦନଙ୍କ ପେଟ, ପିଠି ଓ ଛାତିକୁ ବାରମ୍ବାର ଆକ୍ରମଣ କରିଥିଲେ । ଯାହା ଫଳରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିଲା । ଯାଜପୁରରୋଡରେ ରହୁଥିବା ମୃତକଙ୍କ ପରିବାରକୁ ସୂଚନା ଦେଇ ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ପୁଲିସ ଅଧିକ ତଦନ୍ତ କରୁଛି ।