(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆପୋଲୋ, କଳିଙ୍ଗ ଓ ଆମ୍ରି ହସ୍ପିଟାଲ ପରେ ରୋଗୀଙ୍କ ହିନସ୍ତା କରୁଥିବା ଅଭିଯୋଗ ଆସିଛି କିମସ୍ ବିରୋଧରେ । କିମସ୍ରେ ଯିଏ ଟଙ୍କା ଦେଇପାରିବ ସେ ଚିକିତ୍ସିତ ହେବ । ଟଙ୍କା ନ ଥିଲେ ଚିକିତ୍ସା ସୁବିଧା ଏଠାରେ ନାହିଁ । ସାଂସଦ ଅଚ୍ୟୁତ ସାମନ୍ତଙ୍କର ଏହି ହସ୍ପିଟାଲ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବଙ୍କୁ ଦିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମଧ୍ୟ ଏଠି ଗ୍ରହଣ କରାଯାଉ ନାହିଁ । ତେଣୁ ବହୁ ଗରିବ ବଡ ଆଶା ନେଇ କିମ୍ସ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରତନ ନାୟକ ଓ ତାଙ୍କ ଝିଅ ଦେବଜାନୀ ନାୟକ କିମ୍ସ ବିରୋଧରେ ଆଣିଛନ୍ତି ଅଭିଯୋଗ । ରତନ ନାୟକ ବହୁ ଆଶା ରଖି ଝିଅର କିଡ୍ନୀ ରୋଗ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରର କିମ୍ସ ହସ୍ପିଟାଲ ଆସିଥିଲେ । ଏଠାରେ ସେ ପହଞ୍ଚି ଚିକିତ୍ସା ସମୟରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମଧ୍ୟ ମେଡିକାଲକୁ ହସ୍ତାନ୍ତର କରିଥିଲେ । ହେଲେ ମେଡିକାଲ ସେହି କାର୍ଡ ଗ୍ରହଣ କରିନଥିଲା । କିନ୍ତୁ ମେଡିକାଲର ନାଁ ଶୁଣି ବହୁ ଆଶାରେ ଆସିଥିବା ଏହି ଗରିବ ବାପା ଚିକିତ୍ସା ପାଇଁ ସେଠାରେ ଝିଅର ଆଡମିଶନ କରିଥିଲେ ଓ ନିଜର ଜମିବାଡ଼ି ବିକି ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଟଙ୍କା ପରେ ମଧ୍ୟ ତାଙ୍କ ଝିଅର ଚିକିତ୍ସା ପାଇଁ ଆହୁରି ଟଙ୍କା ଦରକାର ହେଲା । କିନ୍ତୁ ଆଉ କେଉଁଠି କିଛି ସାହା ନ ଥିଲା । ମେଡିକାଲ ପକ୍ଷରୁ କୁହାଗଲା ଯେ, ଏହି କାର୍ଡ ଦ୍ୱାରା କୌଣସି ଚିକିତ୍ସା ହୋଇପାରିବ ନାହିଁ । ଫଳରେ ସେଠାରୁ ସେ ନିଜ ଗାଁକୁ ଫେରି ବାକୁ ବାଧ୍ୟହୋଇଥିଲେ ଝିଅକୁ ନେଇ। ଆଉ ଗାଁକୁ ଫେରିବା ପରେ ନିଜ ଦୁଃଖ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପୂର୍ବରୁ ଆମ୍ରି ହସ୍ପିଟାଲ ମଧ୍ୟ ସରକାରଙ୍କ ଇଏସ୍ଆଇ କାର୍ଡ ଗ୍ରହଣ କରିବା ପାଇଁ ସିଧାସଳଖ ମନା କରିଥିଲା । ଏହି ଘଟଣା ପରେ ଇଏସ୍ଆଇ ଅଧିକାରୀ ଆମ୍ରି ହସ୍ପିଟାଲ ସହ ହୋଇଥିବା ଚୁକ୍ତିକୁ ଖାରଜ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାର ସୋ-କଜ୍ ନୋଟିସ୍ ମଧ୍ୟ ଆମ୍ରିକୁ ନୋଟିସ ହୋଇଛି । ଏବେ ଦେଖିବାକୁ ବାକି ରହିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗ୍ରହଣ କରିନଥିବାରୁ କିମ୍ସ ବିରୋଧରେ କି ପଦକ୍ଷେପ ନେଉଛନ୍ତି ସରକାର ?