ଭୁବନେଶ୍ଵର: ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସଟି ବହୁତ ପବିତ୍ର। ବର୍ଷର ଏହି ମାସଟିକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ। ଏହି ମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶିବ ଭକ୍ତ କାଉଡ଼ି ବା ବୋଲ୍ବମ୍ ଯାତ୍ରା କରିଥା’ନ୍ତି। କାଉଡ଼ିଆମାନେ ବିଭିନ୍ନ ନଦୀରୁ ପାଣି ନେଇ ଶିବଙ୍କୁ ଜଳାଭିଷେକ କରିଥା’ନ୍ତି। ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। ଜଳାଭିଷେକ ଦ୍ୱାରା ଭଗବାନ ଶିବ ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, କାଉଡ଼ି ବା ବୋଲ୍ବମ୍ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଯାତ୍ରା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?
କାଉଡି ଯାତ୍ରା କରୁଥିବା ଭକ୍ତଙ୍କୁ କାଉଡିଆ ବୋଲି କୁହାଯାଏ । ଏହି ଯାତ୍ରାରେ ଯାଉଥିବା ଭକ୍ତଙ୍କୁ କେତେକ ନିୟମ ମାନିବାକୁ ପଡିଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଖାଲି ପାଦରେ ଯାତ୍ରା କରିବାକୁ ପଡିଥାଏ । ଯାତ୍ରା ସମୟରେ ଭକ୍ତ ସାତ୍ତ୍ୱିକ ଭୋଜନ ସେବନ କରିଥାନ୍ତି । କାଉଡିଆ ମାନେ ବିଶ୍ରାମ ନେବା ସମୟରେ କାଉଡିକୁ ତଳେ ନରଖି କୌଣସି ଏକ ଗଛରେ ଓହଳାଇ ରଖିବା ଉଚିତ୍ । ଯଦି ଆପଣ କାଉଡିକୁ ତଳେ ଭୂମି ଉପରେ ରଖୁଛନ୍ତି ତେବେ ଆପଣଙ୍କୁ କଉଡିର କଳସରେ ପୁନଃ ଜଳ ଭରି ଯାତ୍ରା ଆରମ୍ଭ କରିବାକୁ ପଡିବ । କାଉଡିକୁ ଶ୍ରଦ୍ଧାଳୁ ସ୍ନାନ ପରେ ହିଁ ଛୁଇଁ ଥାନ୍ତି । ସ୍ନାନ ନକରି କାଉଡିକୁ ଛୁଇଁବା ଉଚିତ ନୁହେଁ ।
ଏହି ଯାତ୍ରାର ଆରମ୍ଭ ସମୁଦ୍ର ମନ୍ଥନ ପରେ ହୋଇଥିଲା । ମନେ କରାଯାଏ ଯେ, ତ୍ରେତୟା ଯୁଗରେ ପ୍ରଥମେ ଶ୍ରବଣ କୁମାର ଏହି ଯାତ୍ରା ଆରମ୍ଭ କରିଥିଲେ । ନିଜର ଦୃଷ୍ଟିହୀନ ମାଆ-ବାପାଙ୍କୁ ତୀର୍ଥଯାତ୍ରା କରିବା ସମୟରେ ଯେତେବେଳେ ସେମାନେ ହିମାଞ୍ଚଳର ଉନାରେ ଥିଲେ, ସେତେବେଳେ ଶ୍ରବଣ କୁମାରର ବାପା ମାଆ ହରିଦ୍ୱାର ଯାଇ ଗଙ୍ଗା ସ୍ନାନ କରିବାକୁ ଥିବା ଇଚ୍ଛା ବିଷୟରେ ଜଣାଇଥିଲେ । ସେମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଶ୍ରବଣ କୁମାର କାଉଡିରେ ବସାଇ ସେମାନଙ୍କୁ ହରିଦ୍ୱାର ସ୍ନାନ ପାଇଁ ନେଇଥିଲେ ଏବଂ ସେଠାରୁ ଗଙ୍ଗା ଜଳ ଆଣିଥିଲେ । ସେତେବେଳ ଠାରୁ କାଉଡି ଯାତ୍ରାର ଆରମ୍ଭ ହୋଇଥିଲା ।