କୋଲକାତା : କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ତେଜୁଛି ଆନେ୍ଦାଳନ । ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଆଜି ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ। ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ଗତକାଲି ଏକ ବୈଠକ ବସିଥିଲେ । ଏଥିରେ ସାରା ଦେଶରେ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି।
ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ। ଏହା ଭିତରେ ଘଟଣାରେ ପୋଲିସ ସଂଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି।
ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅପରାଧ ଘଟାଇବା ପୂର୍ବରୁ ସେ ମଦ ପିଇବା ସହ ଅଶ୍ଳୀଳ ଭିଡିଓ ଦେଖିଥିଲେ ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି। ଗିରଫ ସମୟରେ ମଧ୍ୟ ସେ ମଦ ନିଶାରେ ଥିଲେ। ତାଙ୍କ ମୋବାଇଲ ଫୋନ୍ ଅଶ୍ଳୀଳ ଭିଡିଓରେ ପୂର୍ଣ୍ଣ ଥିଲା। ତେଣୁ ସେ ଜଣେ ମାନସିକ ଅସୁସ୍ଥ କିମ୍ବା ବିକୃତ ମସ୍ତିଷ୍କ ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ଏଥିରୁ ସୂଚନା ମିଳୁଛି।