(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଘାଟିର ସୁରକ୍ଷା, ଅର୍ଥନୈତିକ ସ୍ଥିତି ଆଦିକୁ ଦୃଷ୍ଟିରେ ରଖି ଲଦାଖକୁ ଜାମ୍ମୁ କାଶ୍ମୀରଠାରୁ ଅଲଗା କରାଯାଇଛି । ଲଦାଖ ଓ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ତେବେ ଲଦାଖରେ କୌଣସି ବିଧାନ ସଭା ରହିବ ନାହିଁ କିନ୍ତୁ ଜାମ୍ମୁକାଶ୍ମୀରରେ ରହିବ ବୋଲି ଅମିତ ସାହା ଆଜି ଗୃହରେ ଘୋଷଣା କରିଛନ୍ତି ।
ଏହି ଐତିହାସିକ ଘୋଷଣା କ୍ୟାବିନେଟ ବୈଠକର ପରେ ଆସିଛି । ସାହା କହିଛନ୍ତି, ସମ୍ବିଧାନର ଆର୍ଟିକିଲ ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା, ଯାହା ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ସ୍ୱୟଂ ଶାସିତ ମାନ୍ୟତା ଦେଉଛି । ଏଠାରେ ସ୍ୱତନ୍ତ୍ର ଓ ଅଲଗା ନିର୍ବାଚନ ପ୍ରକ୍ରିୟା ମଧ୍ୟ ରହିଛି । କିନ୍ତୁ ବିଜେପି ସରକାର ଏହାକୁ ବିରୋଧ କରି ଆସୁଥିଲା । ଆର୍ଟିକିଲ ୩୭୦ ଉଚ୍ଛେଦ କରାଯିବାକୁ ନେଇ ବିଜେପି ତାର ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେଇଥିଲା । ଏହି ବିଲ ଆଗତ କରିବା ସମୟରେ ରାଜ୍ୟ ସଭାରେ ସାହାଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଆଦି ବିରୋଧୀ ଦଳଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ହୋଇଛି ।
ଘାଟିରେ ସ୍ଥିତି ଉଦ୍ବେଗ ଜନକ ଥିବାରୁ ତଥା ସେଠାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସେଠାରେ ଅତିରିକ୍ତ ସୁରଡ଼ା ବଳ ମୁତୟନ କରାଯାଇଥିଲା । ଏହାକୁ ସେଠାର ରାଜନୈତିକ ଦଳର ପ୍ରମୁଖ, ମୁଖ୍ୟତଃ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ବିରୋଧ କରିବା ସହ ଲୋକଙ୍କୁ ଭଡକେଇବାକୁ ଚେଷ୍ଟା କରିଥିଲେ । ତେଣୁ ସେମାନଙ୍କୁ ରବିବାରଠାରୁ କେନ୍ଦ୍ର ସରକାର ଗୃହବନ୍ଦୀ କରିଛି ।