ମୋଗଲ ମାନଙ୍କର ବଂଶଧର କହି ଦାବି କରୁଥିବା ଜଣେ ମହିଳା ଦିଲ୍ଳୀର ଲାଲକିଲ୍ଲା ଉପରେ ଅଧିକାର ଦାବି କରିଥିଲେ । ମହିଳା ଜଣକ ଅଧିକାର ଦାବି କରି ଯେଉଁ ଆବେଦନ କରିଥିଲେ ତା’କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ସୁଲତାନା ବେଗମ । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି କହିଛନ୍ତି । ଆବେଦନଟି ସମ୍ପୂର୍ଣ୍ଣ ଭୁଲ ଧାରଣା ।
ଅନ୍ୟପକ୍ଷେ ସୁଲତାନା ବେଗମ ଦାବି କରନ୍ତି ଯେ ସେ ହେଉଛନ୍ତି ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କ ଅଣନାତିଙ୍କ ବିଧବା ପତ୍ନୀ । ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ‘ତୁମେ କେବଳ ଲାଲକିଲ୍ଲା କାହିଁକି ମାଗିଲ ?’ ଫତେପୁର ସିକ୍ରି ଏବଂ ତାଜମହଲ କାହିଁକି ନୁହେଁ ? ସେଗୁଡ଼ିକ ମଧ୍ୟ ମୋଗଲମାନଙ୍କ ଦ୍ୱାରା ନିର୍ମିତ। ରିଟ୍ ପିଟିସନ୍ ସମ୍ପୂର୍ଣ୍ଣ ଭୁଲ ଧାରଣାଯୁକ୍ତ ଏବଂ ତେଣୁ ଏହାକୁ ଖାରଜ କରାଯାଉଛି।
କ’ଣ ପାଇଁ ହାଇକୋର୍ଟ ଆବେଦନ ଖାରଜ କରିଛନ୍ତି ?
ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ସୁଲତାନା ବେଗମଙ୍କ ଆବେଦନକୁ ବିଳମ୍ବ କାରଣରୁ ଖାରଜ କରିଦେଇଥିଲେ । ଯାହା କୁ ନେଇ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଦର୍ଶାଇଥିଲେ ଯେ, ହାଇକୋର୍ଟରେ ଆବେଦନକୁ ଯୋଗ୍ୟତା ଆଧାରରେ ନୁହେଁ ବରଂ ବିଳମ୍ବ କାରଣରୁ ଖାରଜ କରାଯାଇଛି । ତେଣୁ ସୁପ୍ରିମକୋର୍ଟ ମଧ୍ୟ ସମାନ ରିହାତି ଦେବା ଉଚିତ ଏବଂ କେବଳ ବିଳମ୍ବ କାରଣରୁ ଏହାକୁ ଖାରଜ କରିବା ଉଚିତ। ତଥାପି, ସୁପ୍ରିମକୋର୍ଟ ତାଙ୍କ ଦାବିକୁ ଗ୍ରହଣ କରିବାକୁ ମନା କରିଦେଲେ।
ସୁଲତାନା ବେଗମ ୨୦୨୧ ମସିହାରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଯାହାକୁ ଏକକ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ୯୦୦ ଦିନ ପରେ, ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ବିଚାରପତି ବିଭୁ ବାକାରୁ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଅଢ଼େଇ ବର୍ଷ ବିଳମ୍ବକୁ ଆଧାର କରି ଆବେଦନକୁ ଖାରଜ କରିଦେଇଥିଲେ।
ଅନ୍ୟପଟେ ଆବେଦନକାରୀ କହିଛନ୍ତି ଯେ ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଯୁଦ୍ଧ ସମୟରେ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଆଇନ ଭାବରେ ସୁଲତାନା ବେଗମଙ୍କ ପରିବାରକୁ ସମ୍ପତ୍ତିରୁ ବଞ୍ଚିତ କରିଥିଲା। ଏହା ପରେ, ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କୁ ଦେଶରୁ ନିର୍ବାସିତ କରାଯାଇଥିଲା ଏବଂ ମୋଗଲମାନଙ୍କଠାରୁ ଲାଲକିଲ୍ଲା ଛଡ଼ାଇ ନିଆଯାଇଥିଲା। ସେ କହିଛନ୍ତି ଯେ ଏବେ ଭାରତ ସରକାରଙ୍କ ଏହା ଉପରେ ଦଖଲ ବେଆଇନ। ତେଣୁ ସୁଲତାନା ବେଗମ ଲାଲକିଲ୍ଲା ଦଖଲ ଏବଂ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି।
ହାଇକୋର୍ଟ କ’ଣ ଦର୍ଶାଇଥିଲେ?
୨୦୨୧ ମସିହାର ରାୟରେ, ଏକକ ବିଚାରପତିଙ୍କ ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତି ଉପରେ କହିଥିଲେ, ‘ଯଦି ଏହା ଧରିନିଆଯାଏ ଯେ ବାହାଦୂର ଶାହ ଜାଫର ଦ୍ୱିତୀୟଙ୍କୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ବେଆଇନ ଭାବରେ ଲାଲକିଲ୍ଲାର ଅଧିକାରରୁ ବଞ୍ଚିତ କରାଯାଇଥିଲା । ତେବେ ୧୬୪ ବର୍ଷରୁ ଅଧିକ ସମୟ ବିତିବା ପରେ ଏହି ଆବେଦନ କିପରି ବଜାୟ ରହିବ ? ଯେତେବେଳେ ଆବେଦନକାରୀଙ୍କ ପୂର୍ବ ପୁରୁଷମାନେ ସର୍ବଦା ଏହି ବିଷୟରେ ଅବଗତ ଥିଲେ ?’
ଏକକ ଖଣ୍ଡପୀଠର ଏହି ନିଷ୍ପତ୍ତି ପରେ ସୁଲତାନା ବେଗମ ମାମଲାକୁ ହାଇକୋର୍ଟର ଡିଭିଜନ ବେଞ୍ଚ ସମ୍ମୁଖରେ ରଖିଥିଲେ । କିନ୍ତୁ ସେ ଏଥିପାଇଁ ଅଢ଼େଇ ବର୍ଷରୁ ଅଧିକ ସମୟ ନେଇଥିଲେ। ଏହି କାରଣରୁ କୋର୍ଟ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ଏବଂ ତା’ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।