୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କ ୬୦,୪୨୬ ପରିମିତ ଜମି

0

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ହଜାର ହଜାର ଏକର ଜମି ଏବେ ବେଆଇନ ଭାବେ ଜବରଦଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏବେ ବି ଜଗନ୍ନାଥଙ୍କ ସମସ୍ତ ଜମିର ସତ୍ୱଲିପି ନାହିଁ। ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ନାହିଁ । ଏଥିରୁ ମାତ୍ର ୩୪ ହଜାର ୮୦୩ ଏକର ଜମିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଛି। ଏଥିସହ ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କର ମୋଟ ୬୦୪୨୬.୯୪୩ ପରିମିତ ଜମି ରହିଛି। ବିଶେଷ କରି ଖୋର୍ଦ୍ଧା,ଭଦ୍ରକ,କଟକ,ପୁରୀ ଜିଲ୍ଲାରେ ବିଶେଷ କରି ସର୍ବାଧିକ ଜମି ରହିଛି । ଅର୍ଥାତ୍ ଜଗନ୍ନାଥଙ୍କର ବହୁ ପରିମାଣର ଭୂସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ସେହିପରି ଜଗନ୍ନାଥଙ୍କର ସ୍ଥାୟୀ ଜମା ଆକାରରେ ୫୫୨ କୋଟି ୪୩ ଲକ୍ଷ ଟଙ୍କା ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ଓଡ଼ିଶା ସହିତ ମୋଟ ୭ଟି ରାଜ୍ୟରେ ଜଗନ୍ନାଥଙ୍କ ଭୂ-ସଂପତ୍ତି ରହିଛି। ଓଡ଼ିଶା ବାହାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ୩୯୫.୨୫୨ ଏକର ଜମି ରହିଛି। ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼ରେ ଜଗନ୍ନାଥଙ୍କ ଜମି ଥିବା ବେଳେ, ଓଡ଼ିଶା ପରେ ପଶ୍ଚିମବଙ୍ଗରେ ସର୍ବାଧିକ ଜମି ରହିଛି ବୋଲି ଜଣାପଡ଼ିଛି।