ବନ୍ୟା ଓ ଭୂସ୍ଖଳନରେ ବେହାଲ ଉତ୍ତର ଭାରତ

0

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରକୃତିର ଭୟଙ୍କର ରୂପ । ବର୍ଷା ଆଣିଛି ବନ୍ୟା । ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି ହୋଇଛି । ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଭୟଙ୍କର ବନ୍ୟା ସାଙ୍ଗକୁ ଭୂସ୍ଖଳନ ହୋଇଛି । ବିଭିନ୍ନ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଛି ଗାଡ଼ିମୋଟର ଓ ଘରଦ୍ୱାର । ଧୋଇ ଯାଉଛି ବ୍ରିଜ୍‌ ଓ ରାସ୍ତାଘାଟ । ପାଣିଘେରରେ ଘରଦ୍ୱାର । ଚାରିଆଡେ ଜଳ ପ୍ରଳୟର ବିଭୀଷିକା । ଏକାଧିକ ନଦୀର ଜଳସ୍ରୋତ ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଏସବୁ ଭିତରେ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି।

ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୪ଟି ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି।ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି ଜିଲ୍ଲା। ମଣ୍ଡିରେ ବାଦଲଫଟା ବର୍ଷା ପରେ ୯ ଜଣ ନିଖୋଜ ଅଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟାରେ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ସେପଟେ ପୁରା ରାଜ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ୪୦୬ ରାସ୍ତା ବନ୍ଦ ରହିଛି ଏବଂ ଅନେକ ଟ୍ରାନ୍ସଫର୍ମର ଏବଂ ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି।

ମୁଖ୍ୟମନ୍ତ୍ରୀ ସୁଖୁ ୫୦୦ କୋଟି ଟଙ୍କାର କ୍ଷତି ଆକଳନ କରିଛନ୍ତି ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅଲକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀ ତଟବର୍ତ୍ତୀ ଅଞ୍ଚଳରେ ମନ୍ଦିର ଗୁଡିକ ବୁଡିଗଲାଣି। ରୁଦ୍ରପ୍ରୟାଗରେ ଥିବା ଶିବଙ୍କ ମୂର୍ତ୍ତି ମଧ୍ୟ ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଛି। ଉତ୍ତରକାଶୀରେ ପ୍ରବଳ ବର୍ଷାରେ ୟମୁନୋତ୍ରୀ ଜାତୀୟ ରାଜପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।