(ସୌମ୍ୟ ରଞ୍ଜନ ସେଠୀ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନି। ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି।
ସୂଚନାଥାଉକି, କଟକରେ ଓକିଲଙ୍କୁ ମାଡ଼ ମାରିଥିବା ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ସେମାନେ ଅଟଳ ରହିଛନ୍ତି । ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତା’ ପରଦିନରୁ ହିଁ ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ଏହା ଦ୍ୱାରା କୋର୍ଟ କାମ କିଛି ହୋଇ ପାରୁନାହିଁ। ସାଧାରଣ ଲୋକେ ହଇରାଣ ହେଉଛନ୍ତି।