ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହର । ଗତକାଲି କନ୍ଧମାଳ ଓ କୋରାପୁଟରେ ଘନକୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ସହ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବା ପରେ ପଶ୍ଚିମ – ଉତ୍ତର -ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହୋଇଛି । ଏହାର ପ୍ରଭାବରେ ଓଡିଶାରେ କୋହଲା ପଗ ରହିବ । ୧୭ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ ,ଖୋର୍ଦ୍ଧା , ନୟାଗଡ , ଗଞ୍ଜାମ, ଗଚପତି , ରାୟଗଡା , କୋରାପୁଟ , ମାଲକାନଗିରି, କଳାହାଣ୍ଡ ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ଓ କାଲି କଳାହାଣ୍ଡି ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । କୋରାପୁଟ ଓ କନ୍ଧମାଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ଏଥିସହ ଝାରସୁଗୁଡା , ସୁନ୍ଦରଗଡ, ଜଗତସିଂହପୁର ଓ ଅନୁଗୋଳରେ ଶୀତ ଲହରି ନେଇ ୟୋଲୋ ୱାର୍ନିଂ ଜାରି କରାଯାଇଛି ।