ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

0

ଭୁବନେଶ୍ଵର: ଆସୁଛି ଆଉ ଏକ ବଡ଼ ଲଘୁଚାପ । ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ରାଜ୍ୟରେ ଆହୁରି ୩ ଦିନ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା କମିଯିବ । ଭଦ୍ରକଠାରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲାରେ ୬ ଓ ୭ ତାରିଖରେ କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ୮ ତାରିଖ  ଯାଏ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୯ ତାରିଖ  ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ କଳାହାଣ୍ଡି ଯାଏ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏବେ ଏକ ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡର ଧାନବାଦ ଉପରେ ରହିଛି । ୨ରୁ ୩  ଦିନ ଯାଏ ସେହି ପାଖାପାଖି ରହିବ । ଏହାପରେ ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ମଧ୍ୟପ୍ରଦେଶ ଉପରେ ଦୁଇ ଦିନ ରହିବ ବୋଲି କହିଛି ପାଣିପାଗ ବିଭାଗ । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କନାଳ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି ହୋଇଥିବା ସମସ୍ତ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।