(ଜ୍ୟୋତିରଞ୍ଜନ ଧର)କଣିହାଁ:ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ବାଦିବାହାଳ ଛକ ଠାରେ ଦିନଦ୍ୱିପ୍ରହରରେ ଚାରି ଜଣ ଦୁର୍ବୃତ୍ତ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ଅଟକାଇ ମାଡ଼ପିଟ କରିବା ସହ ୨୫ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟ କରିନେଇଛନ୍ତି । ଏନେଇ ସମଲ ଥାନାରେ ରଜଡଙ୍ଗ ଗ୍ରାମର ସୁନୀଲ ଧୀର ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଶୁକ୍ରବାର ଅପରାହ୍ନରେ ରଜଡଙ୍ଗ ଗ୍ରାମର ସୁନୀଲ ଧୀର ଓ ଲିପୁନ ବେହେରା ବାଇକରେ ପବିତ୍ରନଗରରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବାଦିବାହାଳ ଛକ ଠାରେ ଚାରି ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ମାଡ଼ପିଟ କରିବା ସହ ଦୁଇଟି ମୋବାଇଲ ଓ ୨୫ହଜାର ଟଙ୍କା ଲୁଟ କରି ନେଇଯାଇଥିଲେ। ଏ ନେଇ ସୁନୀଲ ସମଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୨୨/୧୯ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।ତେବେ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ବଦଳି ହୋଇ ଆସିଥିବା ଚାରୁଲତା ବେହେରା ନୂତନ ଭାବରେ ଶୁକ୍ରବାର ସମଲ ଥାନାଧିକାରୀଣୀ ରୂପେ ଯୋଗ ଦେଇଥିବା ବେଳେ ଲୁଟ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ ସମଲ ଅଂଚଳରେ ନୂତନ ଥାନାଧିକାରୀଣୀ ଶ୍ରୀମତୀ ବେହେରା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କିପରି ନିୟନ୍ତ୍ରଣ କରିବେ ତାହା ଜଣାପଡିବ।