ରାଜଧାନୀରେ ଅଭିନବ ଲୁଟ

0

(ସରୋଜ ରାଉତ) ଭୁବନେଶ୍ୱର: ବିଭୁତି ପକାଇ ଜଣେ ବ୍ୟକ୍ତିଙ୍କ   ସୁନା ମୁଦି ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଏକ ଘଟଣା ଘଟିଛି ଚନ୍ଦ୍ରସେଖରପୁର ଥାନା ଅଧୀନ ହାଉସିଂବୋର୍ଡ କଲୋନୀରେ । ଲୁଟର ଶିକାର ହୋଇଛନ୍ତି ସମରେନ୍ଦ୍ର ସାହୁ ।
ସୂଚନା ଅନୁଯାୟୀ, ଗତକାଲି ହାଉସିଂବୋର୍ଡ କଲୋନୀ ସାଇମନ୍ଦିର ନିକଟରେ ଥିବା ସମରୋନ୍ଦ୍ରଙ୍କ ଅଫିସରେ ସମରେନ୍ଦ୍ର ବସିଥିଲେ । ସେହି ସମୟରେ ଜଣେ  ବାବା ଆସି ତାଙ୍କ ନିକଟରେ ପହଞ୍ଚି  ଥିଲେ ଓ ସେ ହରିଦ୍ୱାରରୁ ଆସିଛନ୍ତି ଓ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା କହିଥିଲେ । ତାଙ୍କ ସହ ବଡ ବାବା ମଧ୍ୟ ଆସିଛନ୍ତି, ସେ ତାଙ୍କୁ ଆଶୀର୍ବାଦ ଦେବେ ବୋଲି କହି ବାବା ଜଣକ ବାହାରକୁ ଚାଲିଗଲେ ଓ ସାଙ୍ଗରେ ଜଣେ  ଗେରୁଆ ବସ୍ତ୍ରଧାରୀ ଆଉ ଜଣେ ବାବାଙ୍କୁ ଅଫିସ ଭିତରକୁ ନେଇ ଆସିଲେ । ବଡବାବା ଜଣକ କହିଲେ, ସମରେନ୍ଦ୍ରଙ୍କ ରିଷ୍ଟ ରହିଛି ଓ ତାଙ୍କ ପୁଟୁଳିରୁ ଏକ ବିଭୁତି ପଡୁଆ କାଢି ମୁଣ୍ଡରେ ଲଗାଇଲେ ଓ ଖାଇବାକୁ ଦେଲେ । ବିଭୁତି ଖାଇବା ପରେ ସମରେନ୍ଦ୍ର ବେହୋସ । ପ୍ରାୟ ୨୦ ମିନିଟ ପରେ ଉଠିଲା ବେଳକୁ ତାଙ୍କ ଆଙ୍ଗୁଠିରେ ଥିବା ସୁନା ମୁଦି ଓ କ୍ୟାସ ବକ୍ସରେ ଥିବା ନଗଦ ୩୪ ହଜାର ଟଙ୍କା ଗାଏବ ଥିଲା । ଏନେଇ ସେ ତୁରନ୍ତ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଛି । ଆଗରୁ ଏହି ବାବା ଜଣକ ଏମିତି ଲୁଟରେ ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରୁଛି ।