ଗଞ୍ଜାମ: ଦିନକୁ ଦିନ ବଢି ଚାଲିଛି ଚୋର ମାନଙ୍କର ଉତପାତ । ଯେଉଁଠି ତାଙ୍କର ନଜର ପଡୁଛି ସେଠି ବୁଲେଇ ଦେଉଛନ୍ତି କଳା କନା । କିନ୍ତୁ ଏବେ ଚୋରଙ୍କ ନଜର ମନ୍ଦିର ଉପରେ । ଲୁଟି ନେଉଛନ୍ତି ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ । ଏହିଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲାରୁ ଆସିଛି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା ।
ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମାଆଙ୍କର ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଛନ୍ତି। ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଆଜି ସକାଳେ କିଛି ଭକ୍ତ ଏବଂ ପୂଜକ ଏସବୁ ଦେଖି ପୁରୁଷୋତ୍ତମ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଗର୍ଭଗୃହର ତାଲା ଭଙ୍ଗାଯାଇଥିବା ଦେଖିଥିଲା। ମନ୍ଦିର ମଧ୍ୟରୁ ମାଆଙ୍କର ରୂପା ମୁଖା, ଛତ୍ର ସମତେ ବହୁ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଛି। ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏମିତି ବାରମ୍ବାର ଲୁଟେରାମାନେ ମନ୍ଦିରକୁ ଟାର୍ଗେଟ କରୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର ।