ପୁରୀ: ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ । ସୁନାବେଶକୁ ରାଜବେଶ, ରାଜରାଜେଶ୍ବର, ରାଜାଧିରାଜ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ। କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ ମନ୍ଦିର ଭିତରେ ୩ ଥର ଏବଂ ମନ୍ଦିର ବାହାରେ ଥରୁଟିଏ ହୋଇଥାଆନ୍ତି । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି । ସେଇଥିପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ । ତେବେ ଏହି ଦିନ ଶ୍ରୀଜଗନ୍ନାଥ କଣ ଅଳଙ୍କାର ପିନ୍ଧନ୍ତି ଆସନ୍ତୁ ଜାଣନ୍ତୁ…
ସୁନାବେଶ ବେଳେ ଶ୍ରୀଜଗନ୍ନାଥ ପରିଧାନ କରିଥିବା ଅଳଙ୍କାର ମଧ୍ୟରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଥାଏ । ସେହିପରି ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଥାଏ । ଅନ୍ୟପଟେ ଦେବୀ ସୁଭଦ୍ରାଙ୍କ ଅଳଙ୍କାର ଭିତରେ କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି ଓ ତଗଡ଼ି ଥାଏ ।